ଆସୁଛି ବାତ୍ୟା, ବଙ୍ଗୋପସାଗରରେ ବଢ଼ିଲା ବାତ୍ୟା ଭୟ, ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେଲା ଲଘୁଚାପ

Spread the love

ଭୁବନେଶ୍ୱର (ଆମ ସରକାର):- ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ବାତ୍ୟା ଭୟ ବଢ଼ିଛି । ଉପକୂଳରେ ବାତ୍ୟା ଭୟ ପରେ ଚିନ୍ତାରେ କେନ୍ଦ୍ରାପଡ଼ାର ଚାଷୀ । ହଜାର ହଜାର ହେକ୍ଟର ଜମିରେ ଧାନ ଫସଲ ଅମଳ ସମୟ ହୋଇଆସିଲାଣି । ଏପରି ସମୟରେ ବାତ୍ୟା ହେଲେ, ସବୁ ଧାନ ନଷ୍ଟ ହୋଇଯିବାର ଆଶଙ୍କା ରହିଛି । ବିଲରୁ ପାଣି ଶୁଖିନଥିବାରୁ ଏବେ ଧାନ କାଟିବା ସମ୍ଭବ ହେଉନି ।ତଥାପି କିଛି କିଛି ଜାଗାରେ ଧାନ କଟା ଆରମ୍ଭ ହୋଇଛି । କିନ୍ତୁ ପାଣିପାଗ ବିଭାଗର ଆକଳନ ଅନୁସାରେ ଯଦି ୨୬ ତାରିଖରେ ବର୍ଷା ହେବ ଫସଲ ଉଜୁଡ଼ିବା ଆଶଙ୍କା ରହିଛି ।

୨୬ରେ ନେଇପାରେ ବାତ୍ୟାର ରୂପ । ମାଲାକ୍କା ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତିକରି ୨୪ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ୨୪ଘଣ୍ଟାରେ ଗଭୀର ଅବପାତ ରୂପ ନେଇପାରେ । ସମୁଦ୍ର ଭିତରେ ବଳ ଗୋଟାଇ ଏହା ଧୀରେ ଶକ୍ତିଶାଳୀହେବ ଓ ୨୬ରେ ବାତ୍ୟାରେ ପରିଣତ ହୋଇପାରେ। ବାତ୍ୟାର ଗତିପଥ, ତୀବ୍ରତା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନି ।

କିନ୍ତୁ ଏହାର ପ୍ରଭାବରେ ଆଣ୍ଡାମାନ, ନିକୋବର ଦୀପପୁଞ୍ଜରେ ବର୍ଷା ଆରମ୍ଭ ହୋଇଗଲାଣି । ୨୭ବେଳକୁ ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଡ ବର୍ଷା ଭୟ ରହିଛି । ଏବେଠାରୁ ଏ ସଂକ୍ରାନ୍ତରେ ସତର୍କ କରିଛନ୍ତି ପାଣିପାଗ ବିଜ୍ଞାନୀ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ଏଣୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ଧାନ ଅମଳ ସମୟ ହୋଇଥିବାରୁ ଅଦିନିଆ ବର୍ଷାକୁ ନେଇ ଚାଷୀଙ୍କୁ ଚିନ୍ତା ଘାରିଛି। ପାଚିଲା ଧାନ ନଷ୍ଟ ହେବାର ଆଶଙ୍କା ଥିବାରୁ ତରତର ହୋଇ ଜମିରୁ ଧାନ କାଟି ନେଉଛନ୍ତି ଚାଷୀ ।

Leave a Reply

Your email address will not be published. Required fields are marked *