ଚଳିତବର୍ଷ ପ୍ୟାରିସ ପାରାଅଲମ୍ପିକ୍ସରେ ଭାରତକୁ ମିଳିଛି କ୍ରମାଗତ ସଫଳତା। ପାରାଲିମ୍ପିକ୍ସର ସପ୍ତମ ଦିନ ସୁଦ୍ଧା ଭାରତ ୨୪ଟି ପଦକ ଜିତି ସର୍ବକାଳୀନ ରେକର୍ଡ କରିଥିବା ବେଳେ ଅଷ୍ଟମ ଦିନରେ ପଦକ ସଂଖ୍ୟା ୨୫ରେ ପହଞ୍ଚିଛି। ଚଳିତ ବର୍ଷ ପଦକ ସଂଖ୍ୟା ଅନୁସାରେ ଏହା ଭାରତର ଅଲମ୍ପିକ୍ସ ଓ ପାରାଲିମ୍ପିକ୍ସରେ ସର୍ବକାଳୀନ ରେକର୍ଡ। ୨୦୨୦ରେ ଅନୁଷ୍ଠିତ ହୋଇଥିବା ଟୋକିଓ ପାରାଲିମ୍ପିକ୍ସରେ ଭାରତ ସମୁଦାୟ ୧୯ଟି ପଦକ ଜିତିଥିଲା। କିନ୍ତୁ ୨୦୨୪ରେ ଅନୁଷ୍ଠିତ ଏହି ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ସର୍ବାଧିକ ୨୫ରେ ପହଞ୍ଚିଛି। ସେଥିମଧ୍ୟରୁ ୫ଟି ସ୍ଵର୍ଣ୍ଣ, ୯ଟି ରୌପ୍ୟ ଓ ୧୧ଟି ବ୍ରୋଞ୍ଜ ପଦକ ଅଟେ। ଏହାସହ ପଦକ ଟାଲିରେ ଭାରତ ୧୬ତମ ସ୍ଥାନ ହାସଲ କରିଛି।
ସୂଚନଯୋଗ୍ୟ ଯେ, ଅଗଷ୍ଟ ୨୮ରୁ ପ୍ୟାରିସ ପାରାଲିମ୍ପିକ୍ସ ଆରମ୍ଭ ହୋଇଥିବା ବେଳେ ଅଷ୍ଟମ ଦିନରେ ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଜୁଡୋରେ ଭାରତ ପଦକ ଜିତିଛି। ଆଜି ଯାଏ ଭାରତ କେବେ ବି ପାରା ଅଲିମ୍ପିକ୍ସର ଜୁଡୋରେ ପଦକ ଜିତିବାକୁ ସକ୍ଷମ ହୋଇ ନଥିଲା। କିନ୍ତୁ ପାରାଲିମ୍ପିକ୍ସର ୮ମ ଦିନରେ ଜୁଡୋରେ କପିଳ ପରମାର ବ୍ରୋଞ୍ଜ ପଦକ ଜିତିବା ପରେ ଇତିହାସ ରଚିଛନ୍ତି। ସେ ପୁରୁଷ ୬୦ କିଗ୍ରାର ଜେ-୧ ବର୍ଗରେ କପିଳ ବ୍ରାଜିଲର ଏଲିଲ୍ଟନ ଓଲିଭେରାଙ୍କୁ ମାତ୍ର ୩୩ ସେକେଣ୍ଡରେ ପରାସ୍ତ କରି ଏହି ଐତିହାସିକ ସଫଳତା ହାସଲ କରିଛନ୍ତି । କପିଲଙ୍କ ଏହି ସଫଳତା ପରେ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨୫କୁ ବୃଦ୍ଧି ପାଇବା ସହ ପଦକ ଟାଲି ଟେବୁଲରେ ୧୬ତମ ସ୍ଥାନରେ ରହିଛି।