ଓଡ଼ିଶାର ୫ ଜିଲ୍ଲାକୁ ପୁରସ୍କୃତ କରିବେ ରାଷ୍ଟ୍ରପତି

Spread the love

ଭୁବନେଶ୍ୱର: ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଆଜି ଜଳ ସଞ୍ଚୟ ଜନ ଭାଗିଦାରୀ ୧.୦ (ଜେଏସଜେବି) ପ୍ରୟାସ ଅନ୍ତର୍ଗତ ଉତ୍କୃଷ୍ଟ ପ୍ରଦର୍ଶନକାରୀଙ୍କ ପାଇଁ ଜଳ ପଞ୍ଚାୟତ ଜନ ଭାଗିଦାରୀ ପୁରସ୍କାର ବିଜେତାଙ୍କ ତାଲିକା ଘୋଷଣା କରିଛି। ଜଳ ଶକ୍ତି ଅଭିଯାନ: କ୍ୟାଚ୍ ଦ ରେନ୍ ଅଭିଯାନ ଅନ୍ତର୍ଗତ ଏକ ପ୍ରମୁଖ ଗୋଷ୍ଠୀ ଆଧାରିତ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଏହି ପୁରସ୍କାର ମିଳିଥାଏ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ଏକ ସମାରୋହରେ ୨୦୨୫ ମସିହା ପାଇଁ ଷଷ୍ଠ ଜାତୀୟ ଜଳ ପୁରସ୍କାର ସହିତ ଜଳ ପଞ୍ଚାୟତ ଜନ ଭାଗିଦାରୀ ପୁରସ୍କାର ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ ଜଳ ଶକ୍ତି ପାଇଁ ଜନ ଶକ୍ତି ଦୃଷ୍ଟିକୋଣ ଦ୍ୱାରା ଅନୁପ୍ରାଣିତ ହୋଇ, ଜଳ ସଂଚୟ ଜନ ଭାଗୀଦାରୀ ପ୍ରୟାସ ୨୦୨୪ ସେପ୍ଟେମ୍ବର ୬ରେ ଗୁଜୁରାଟର ସୁରତରୁ ଆରମ୍ଭ କରାଯାଇଥିଲା।

ଚଳିତ ବର୍ଷ ମୋଟ ୧୦୦ଟି ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ତିନୋଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ, ୬୭ ଜିଲ୍ଲା, ଛଅଟି ନଗର ନିଗମ, ଗୋଟିଏ ପୌର ସଂସ୍ଥା, ଦୁଇଟି ସହଭାଗୀ ମନ୍ତ୍ରଣାଳୟ/ବିଭାଗ, ଦୁଇଟି ଶିଳ୍ପ, ତିନୋଟି ଏନଜିଓ, ଦୁଇ ସ୍ୱେଚ୍ଛାସେବୀ ବ୍ୟକ୍ତିବିଶେଷ ଏବଂ ୧୪ ଜଣ ନୋଡାଲ ଅଧିକାରୀ ଅନ୍ତର୍ଭୁକ୍ତ। ଜେଏସଜେବି ପୋର୍ଟାଲରେ ଅପଲୋଡ୍ କରାଯାଇଥିବା ଯାଞ୍ଚ ତଥ୍ୟ ଆଧାରରେ ପୁରସ୍କାର ବିଜେତାମାନଙ୍କୁ ଚୟନ କରାଯାଇଛି।

ଶ୍ରେଷ୍ଠ ଜିଲ୍ଲାକୁ ୨ କୋଟି ପୁରସ୍କାର

ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲାଗୁଡ଼ିକୁ ବର୍ଗ ୧ରେ ପ୍ରତ୍ୟେକଙ୍କୁ ୨ କୋଟି ଟଙ୍କା ପ୍ରଦାନ କରାଯିବ। ବର୍ଗ ୨ ଏବଂ ୩ରେ ଥିବା ଜିଲ୍ଲାଗୁଡ଼ିକୁ ଯଥାକ୍ରମେ ୧ କୋଟି ଟଙ୍କା ଏବଂ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଅନ୍ୟମାନଙ୍କୁ ମଧ୍ୟ ସ୍ୱୀକୃତି କରାଯିବ। ପ୍ରତ୍ୟେକ ପୁରସ୍କାରରେ ଜଳସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗର ସଚିବଙ୍କ ଦ୍ୱାରା ଦସ୍ତଖତ ଏକ ପ୍ରଶସ୍ତିପତ୍ର ମଧ୍ୟ ଅନ୍ତର୍ଭୁକ୍ତ। ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲାଗୁଡ଼ିକ ମଧ୍ୟରେ ଓଡିଶାର ଗଞ୍ଜାମ, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡା, କଟକକୁ ତୃତୀୟ ବର୍ଗରେ ଏହି ପୁରସ୍କାର ଦିଆଯିବ। ଏସବୁ ଜିଲ୍ଲାରେ ବିଭିନ୍ନ ଜଳପ୍ରକଳ୍ପକୁ ସଫଳତାର ପୂର୍ବକ କାର୍ଯ୍ୟକାରୀ କରିବା ଲାଗି ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପାଇବେ।

Leave a Reply

Your email address will not be published. Required fields are marked *