ଆଉ ଦିନକ ପରେ ରାଜସୁନାଖଳା କାଉଁରୀ ମହୋତ୍ସବ : ଉଦଘାଟନ କରିବେ ବିଧାନସଭା ବାଚସ୍ପତି

Spread the love

ନୟାଗଡ଼ (ଆମ ସରକାର):-  ରାଜସୁନାଖଳା ପଞ୍ଚାୟତ ପରିସରରେ ରାଜସୁନାଖଳା ମହୋତ୍ସବ କାଉଁରୀ 2025 ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟିର ସମ୍ପାଦକ ଜୟେନ୍ଦ୍ର ବେହେରାଙ୍କ ଆବାହକରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ମହୋତ୍ସବ କମିଟିର ସଭାପତି ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ରାଜସୁନାଖଳା ମହୋତ୍ସବ ଚଳିତ ବର୍ଷ ସପ୍ତମ ବର୍ଷରେ ପଦାର୍ପଣ କରିବ। ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ଵାଚସ୍ପତି ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଉଦଯାପନୀ ଉତ୍ସବରେ ମହାମହିମ ରାଜ୍ୟପାଳ ଯୋଗଦେବାର ସମ୍ଭାବନା ଥିବା ଜଣାପଡିଛି। ବିଗତ କିଛି ବର୍ଷ ଧରି ରାଜସୁନାଖଳା ମହୋତ୍ସବକୁ ରାଜ୍ୟପାଳ ଲଗାତାର ଭାବେ ମୁଖ୍ୟ ଅତିଥି ହୋଇ ଆସୁଥିବାରୁ ଚଳିତ ବର୍ଷ ତାଙ୍କ ଗାରିମାମୟ ଉପସ୍ଥିତି ପାଇଁ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରାଯାଇଛି।

ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ପ୍ରବଳ ଗହଳ ଏବଂ ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ ପାଇଁ 1 ପ୍ଲାଟୁନରୁ ଅଧିକ ଫୋର୍ସ ରଣପୁର ଥାନା ଏବଂ ରାଜସୁନାଖଳା ଫାଣ୍ଡି ତତ୍ୱାବଧାନରେ ନିୟୋଜିତ ରହିବ। ସ୍ଥାନୀୟ ଅଞ୍ଚଳର କଳା, ସାହିତ୍ୟ, ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ଡିସେମ୍ବର 8ରୁ 12 ତାରିଖ ପର୍ଯ୍ୟନ୍ତ ୫ ଦିନ ଵ୍ୟାପୀ ସିଟି ସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ନୂଆ ରୂପରେ, ନୂଆ ଢଙ୍ଗରେ ଏବଂ ସିନେ ଉତ୍ସବ ଶୈଳୀରେ କରାଯିବ।ରାଜସୁନାଖଳା ମହୋତ୍ସବକୁ କେନ୍ଦ୍ର ଓ ରାଜ୍ୟ ସରକାର ସହାୟତା ପ୍ରଦାନ କରୁଥିବା ବେଳେ ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ରହିଆସିଛି।ଆଞ୍ଚଳିକ, ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଷ୍ଠିତ କଳାକାର ମାନେ  ରାଜସୁନାଖଳା ମଞ୍ଚରେ କଳା ପ୍ରଦର୍ଶନ କରିବେ। ଚଳିତ ବର୍ଷ ନେପାଳ ଦେଶ ତଥା ପୂର୍ବ ଭାରତର ପ୍ରସିଦ୍ଧ ଲୋକନୃତ୍ୟ ମାରୁଣୀ ଡ୍ୟାନ୍ସ ରାଜସୁନାଖଳା ମହୋତ୍ସବରେ ନୃତ୍ୟ ପରିବେଷଣ ହେବ। ପଡ଼ୋଶୀ ଦେଶର ଏହି ଲୋକନୃତ୍ୟ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଅଞ୍ଚଳର ପ୍ରତିଭାବାନ କଳାକାରଙ୍କୁ ଚୟନ ପାଇଁ ପ୍ରତିଯୋଗିତା ସରିଛି। କୃତିତ୍ୱଧାରୀଙ୍କୁ ରାଜସୁନାଖଳା ମହୋତ୍ସବ ମଞ୍ଚରେ ପୁରସ୍କୃତ କରାଯିବ ବୋଲି କମିଟି ପକ୍ଷରୁ ନିଷ୍ପତି ନିଆଯାଇଥିଲା। ମୀନା ବଜାର, ରାମ ଦୋଳି ସାଙ୍ଗକୁ ଅଧିକ ଷ୍ଟଲ ଲଗାଇବାକୁ ଗୁରୁତ୍ୱ ଏବଂ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନଙ୍କ ବ୍ୟବସାୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ପ୍ରତିଦିନ ମହୋତ୍ସବ ସନ୍ଧ୍ୟାରେ ପ୍ରତିଷ୍ଠିତ ରାଜନେତା, ମନ୍ତ୍ରୀ, ପ୍ରଶାସକ, ସାମ୍ବାଦିକ ଓ ସାହିତ୍ୟିକ ଆଦିଙ୍କୁ ନେଇ ସାଧାରଣ ସଭା ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ସିନେ ଷ୍ଟାର ମାନେ ଯୋଗଦେବେ। 11 ତାରିଖରେ ସୁଜ୍ଞାନୀ ଏବଂ ତାଙ୍କ ମେଲୋଡି଼ ଟିମ 12 ତାରିଖ ରୁକୁସେନା ଏବଂ ମେଲୋଡି ଟିମ ଦର୍ଶକଙ୍କ ଆକର୍ଷଣ ରହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ କମିଟିର ଧର୍ମେନ୍ଦ୍ର ସାହୁ , ବିଶ୍ୱନାଥ ବରାଡ଼,ନିରଞ୍ଜନ ପ୍ରଧାନ,ସନ୍ତୋଷ କୁମାର ପୃଷ୍ଟି, ସୁଶାନ୍ତ କୁମାର ନାୟକ, ରାଜସୁନାଖଳା ଗ୍ରାମପଞ୍ଚାୟତର ସମିତି ସଭ୍ୟ ତପନ କୁମାର ପ୍ରଧାନଙ୍କ ସମେତ ସ୍ଥାନୀୟ ଅଞ୍ଚଳରେ ସାମ୍ବାଦିକମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *