ନାବାଳିକା ଗଣବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତ ପାଖରେ ପୋଲିସ ଅପହଞ୍ଚ

Spread the love

ଭୁବନେଶ୍ୱର (ଆମ ସରକାର):- ଧଉଳି ଥାନା ଅନ୍ତର୍ଗତ ଦୟା ନଦୀ ପଠାରେ ଗତ ୧୦ ତାରିଖ ସନ୍ଧ୍ୟାରେ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଗଣଦୁର୍‌ଷ୍କମ କରାଯାଇଥିଲା । ଏହି ଘଟଣାକୁ ଇତିମଧ୍ୟରେ ୬ ଦିନ ବିତିଥିଲେ ମଧ୍ୟ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାରେ ବିଫଳ ହୋଇଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ହାପିର ଘର ସ୍ଥାନୀୟ ଅଞ୍ଚଳରେ ହୋଇଥିବା ବେଳେ ସେ ଘଟଣାର ୪ ଦିନ ତଳେ ଜାମିନରେ ଆସି ପୁଣିଥରେ ଏଭଳି ଏକ ନାରକୀୟକାଣ୍ଡ ଭିଆଇ ଘଟଣା ପରଠାରୁ ଫେରାର ହେବାରେ ସଫଳ ହୋଇଛି, କିନ୍ତୁ ପୋଲିସ ଅକ୍ଷ୍ଣ ମାମଲା ଭଳି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ନ ଧରି ସହଯୋଗୀ ଦୁଇଜଣଙ୍କୁ ଧରି ବାହାବା ନେବାକୁ ନେଇ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାର ତଦନ୍ତ ପାଇଁ ମଙ୍ଗଳବାର ରାଜ୍ୟ ମହିଳା କମିଶନ ସଦସ୍ୟା ଉର୍ମିଳା ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଦେଇଥିବା ଏକ ବିବାଦୀୟ ମନ୍ତବ୍ୟକୁ ନେଇ ସମାଲୋଚନା ଜୋର ଧରିଛି।

ଘଟଣାସ୍ଥଳ ପରିଦର୍ଶନ ପରେ ଉର୍ମିଳା ମହାପାତ୍ର କହିଛନ୍ତି, ‘ଝିଅମାନଙ୍କୁ ମୋର ଅନୁରୋଧ, ନିଛାଟିଆ ଜାଗାକୁ ଯଦି ରାତି ୮ଟାରେ ଗୋଟେ ଝିଅ ଆସେ କୌଣସି ପ୍ରକାର ଅଘଟଣ ବି ଘଟିପାରେ। ଏ ପ୍ରକାର ଭାବନା ଆମ ଭିତରେ ରହିବ ଉଚିତ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ରାତିରେ ନିଛାଟିଆ ସ୍ଥାନକୁ ଝିଅମାନେ ଯିବା ଉଚିତ୍ ନୁହେଁ।ଗତ ଡିସେମ୍ବର ୧୦ ତାରିଖରେ ଯୁକ୍ତ ଦୁଇରେ ପଢ଼ୁଥିବା ଜଣେ ୧୭ ବର୍ଷୀୟା ନାବାଳିକା ତାଙ୍କ ସମ୍ପର୍କୀୟ ପୁରୁଷ ବନ୍ଧୁଙ୍କ ସହ ଧଉଳୀ ଶାନ୍ତି ସ୍ତୁପ ବୁଲି ଫେରୁଥିବାବେଳେ ଦୟାନଦୀ ପଠା ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଲୁଟ୍ କରିବା ସହ ତାଙ୍କ ପୁରୁଷ ବନ୍ଧୁଙ୍କ ସାମ୍ନାରେ ନାବାଳିକାଙ୍କୁ ଗଣବଳାତ୍କାର କରିଥିଲେ। ପୋଲିସ ଏହି ମାମଲାରେ ସୋମବାର ବିଭୁ ପ୍ରସାଦ ମିଶ୍ର ଓ କାଳନ୍ଦୀ ପାତ୍ର ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଜେଲକୁ ପଠାଇଛି।ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜେଲ ଫେରନ୍ତା ଅପରାଧୀ ଜୋକର ହାପି ଏପର୍ଯ୍ୟନ୍ତ ପୋଲିସ ହାତରେ ଧରା ପଡ଼ିନାହିଁ।

ସେ ରାଜ୍ୟ ବାହାରକୁ ଚମ୍ପଟ ମାରିଥିବା ସନ୍ଦେହ କରାଯାଉଛି। ହାପି ନାବାଳିକାଙ୍କ ନଗ୍ନ ଭିଡିଓ ରେକର୍ଡ କରିଥିବା ଅଭିଯୋଗ ହୋଇଛି ଏବଂ ଭିଡିଓ ଭାଇରାଲ୍ କରିବାର ଆଶଙ୍କା ଥିବାରୁ ପୀଡ଼ିତା ଭୟଭୀତ ଅଛନ୍ତି। ହାପି ବିରୋଧରେ ପୂର୍ବରୁ ହତ୍ୟା ଉଦ୍ୟମ, ଲୁଟ୍, ଚୋରି ସମେତ ୨୦ରୁ ଅଧିକ ସଙ୍ଗୀନ ମାମଲା ରହିଛି। ପୋଲିସ ବିଭିନ୍ନ ଟିମ୍ ଗଠନ କରି ହାପିକୁ ଖୋଜୁଛି। ମହିଳା କମିଶନ ସଦସ୍ୟା ଘଟଣାସ୍ଥଳରେ ପେଟ୍ରୋଲିଂ ବ୍ୟବସ୍ଥା ସୁଦୃଢ଼ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *