
ରାଜସୁନାଖଳା (ଆମ ସରକାର) : ନୟାଗଡ଼ ଜିଲ୍ଲା ରାଜସୁନାଖଳା ପଞ୍ଚାୟତ ଠାରେ ରାଜସୁନାଖଳା ମହୋତ୍ସବ କାଉଁରୀ 2025 ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟିର ସଭାପତି ରାଜସୁନାଖଳା ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ଯୁବ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ ଏବଂ ସମ୍ପାଦକ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ସମସ୍ତ ସଦସ୍ୟଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ରାଜସୁନାଖଳା ମହୋତ୍ସବ ଚଳିତ ବର୍ଷ ସପ୍ତମ ବର୍ଷରେ ପଦାର୍ପଣ କରିବ। ତେଣୁ ପ୍ରତ୍ୟେକ ବର୍ଷ ଠାରୁ ଚଳିତ ବ୍ୟାପକ ଭାବେ କରିବାକୁ ନିଷ୍ପତି ହୋଇଛି। ସ୍ଥାନୀୟ ଅଞ୍ଚଳର କଳା, ସାହିତ୍ୟ, ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ଆସନ୍ତା ଡିସେମ୍ବର 8ରୁ 12 ତାରିଖ ପର୍ଯ୍ୟନ୍ତ ସିଟି ସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ନୂଆ ରୂପରେ, ନୂଆ ଢଙ୍ଗରେ ଏବଂ ସିନେ ଉତ୍ସବ ଶୈଳୀରେ ଆୟୋଜନ ପାଇଁ କମିଟି ପକ୍ଷରୁ ନିଷ୍ପତି ହୋଇଛି । ରାଜସୁନାଖଳା ମହୋତ୍ସବକୁ କେନ୍ଦ୍ର ଓ ରାଜ୍ୟ ସରକାର ସହାୟତା ପ୍ରଦାନ କରୁଥିବା ବେଳେ ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ରହିଆସିଛି। ଆଞ୍ଚଳିକ,ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଷ୍ଠିତ କଳାକାର ମାନେ କିଭଳି ରାଜସୁନାଖଳା ମଞ୍ଚରେ କଳା ପ୍ରଦର୍ଶନ କରିବେ ସେଥିପାଇଁ ଧ୍ୟାନ ଦେବାକୁ ମତ ପ୍ରକାଶ ପାଇଛି। ଚଳିତ ବର୍ଷ ନେପାଳ ଦେଶ ତଥା ପୂର୍ବ ଭାରତର ପ୍ରସିଦ୍ଧ ଲୋକନୃତ୍ୟ ମାରୁଣୀ ଡ୍ୟାନ୍ସ ରାଜସୁନାଖଳା ମହୋତ୍ସବରେ ନୃତ୍ୟ ପରିବେଷଣ ହେବ। ପଡ଼ୋଶୀ ଦେଶର ଏହି ଲୋକନୃତ୍ୟ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଅଞ୍ଚଳର ପ୍ରତିଭାବାନ କଳାକାରଙ୍କୁ ଚୟନ ପାଇଁ ପ୍ରତିଯୋଗିତା ହୋଇଛି। ମହୋତ୍ସବ ପୁର୍ବରୁ ସମସ୍ତ ପ୍ରତିଯୋଗିତା ସରିବା ପରେ କୃତିତ୍ୱଧାରୀଙ୍କୁ ରାଜସୁନାଖଳା ମହୋତ୍ସବ ମଞ୍ଚରେ ପୁରସ୍କୃତ କରାଯିବ ବୋଲି କମିଟି ପକ୍ଷରୁ ନିଷ୍ପତି ନିଆଯାଇଥିଲା। ମୀନା ବଜାର, ରାମ ଦୋଳି ସାଙ୍ଗକୁ ଅଧିକ ଷ୍ଟଲ ଲଗାଇବାକୁ ଗୁରୁତ୍ୱ ଏବଂ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନଙ୍କ ବ୍ୟବସାୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ପ୍ରତିଦିନ ମହୋତ୍ସବ ସନ୍ଧ୍ୟାରେ ପ୍ରତିଷ୍ଠିତ ରାଜନେତା, ମନ୍ତ୍ରୀ, ପ୍ରଶାସକ, ସାମ୍ବାଦିକ ଓ ସାହିତ୍ୟିକ ଆଦିଙ୍କୁ ନେଇ ସାଧାରଣ ସଭା ଅନୁଷ୍ଠିତ କରିବାକୁ ମତ ଆସିଥିଲା। ସିନେ ଷ୍ଟାର ମାନେ ଯୋଗଦେବେ। ରାଜସୁନାଖଳା ମହୋତ୍ସବକୁ ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ଵାଚସ୍ପତି ସୁରମା ପାଢ଼ୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ବିଗତ କିଛି ବର୍ଷ ଧରି ରାଜସୁନାଖଳା ମହୋତ୍ସବକୁ ରାଜ୍ୟପାଳ ଲଗାତାର ଭାବେ ମୁଖ୍ୟ ଅତିଥି ହୋଇ ଆସୁଥିବାରୁ ଚଳିତ ବର୍ଷ ମଧ୍ୟ ରାଜ୍ୟପାଳଙ୍କୁ ନିମନ୍ତ୍ରଣ ସରିଛି। ଖୁବ ସମ୍ଭବତଃ ରାଜ୍ୟପାଳ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାକୁ ପ୍ରସ୍ତୁତି ଚାଲିଥିବା କମିଟି ପକ୍ଷରୁ ସୂଚନା ମିଳିଛି। ଏହି ବୈଠକରେ ମହୋତ୍ସବ କମିଟିର ଉପସଭାପତି ପ୍ରସନ୍ନ କୁମାର ପ୍ରଧାନ, ମନୋଜ କୁମାର ମହାପାତ୍ର ,ଜିତେନ୍ଦ୍ର ସାହୁ,ଧର୍ମେନ୍ଦ୍ର ସାହୁ , ସୂର୍ଯ୍ୟକାନ୍ତ ମିଶ୍ର, ସିଲୁ କାଳସୀ, ନିରଞ୍ଜନ ପ୍ରଧାନ,ରାଜସୁନାଖଳା ଗ୍ରାମପଞ୍ଚାୟତର ସମିତିସଭ୍ୟ ତପନ କୁମାର ପ୍ରଧାନ,ସନ୍ତୋଷ କୁମାର ପୃଷ୍ଟି, ସୁଶାନ୍ତ କୁମାର ନାୟକ ଏବଂ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ, ମହୋତ୍ସବ କମିଟିର ସମସ୍ତ ସଦସ୍ୟ ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ।
