
ଭାପୁର, ୨୦/୧୧( ଆମ ସରକାର) : ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ବାଘମାରି – ଦଶପଲ୍ଲା ୪୮ ନଂ ରାଜ୍ୟ ରାଜପଥର ବିଜିପୁର ଗ୍ରାମ ନିକଟସ୍ଥ ଏକ ହୋଟେଲ ନିକଟରେ ଗୁରୁବାର ସନ୍ଧ୍ୟା ସମୟରେ (୫.୩୦) ଏକ ମର୍ମନ୍ତୁନ୍ଦ ସଡକ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି। ଘଟଣାରୁ ପ୍ରକାଶ ଭାପୁର ବ୍ଲକ ରକମା ଗ୍ରାମର ବିରଞ୍ଚି ନାୟକଙ୍କ ପୁଅ ରାଜା ନାୟକ (୧୮) ତାଙ୍କ ଦୁଇ ସାଙ୍ଗ ସହିତ ନିଜ ଗ୍ରାମରୁ ଫତେଗଡ ଗ୍ରାମ ନିକଟସ୍ଥ ପେଟ୍ରୋଲ ଟାଙ୍କିଙ୍କୁ ପେଟ୍ରୋଲ ପକାଇବାକୁ ଯାଉଥିଲେ। ସେହି ସମୟରେ ଫତେଗଡ ଗ୍ରାମପଟୁ ଏକ ହାଇୱା ଗାଡ଼ି ଦ୍ରୁତ ଗତିରେ ଆସି ବାଇକ ପଛରେ ବସିଥିବା ରାଜାର ଗୋଡ ସମ୍ପର୍ଷରେ ଆସିଥିଲା। ଯାହା ଫଳରେ ରାଜା ବାଇକ ଗାଡିରୁ ଖସି ପଡି ହାଇୱା ଚକା ତଳେ ଚାପି ହୋଇଯାଇଥିଲା। ହାଇୱା ଗାଡିରେ ଚାପି ହୋଇ ରାଜାର ବାମ ଗୋଡ କଟି ଯିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ଯାହା ଫଳରେ ରାଜାର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା। ଏହି ସମୟରେ ରାଜାର ଅନ୍ୟ ଦୁଇ ସାଙ୍ଗ ସାମାନ୍ୟ ଆହତ ହୋଇଥିବା ବେଳେ ବାଇକ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି। ରାଜାର ଖଣ୍ଡ ବିଖଣ୍ଡିତ ମୃତ ଶରୀରକୁ ରାସ୍ତା ଉପରେ ରଖି ସ୍ଥାନୀୟ ଅଞ୍ଚଳବାସୀ ରାସ୍ତା ଅବରୋଧ କରିଛନ୍ତି। ଯାହା ଫଳରେ ଉଭୟ ଦିଗରୁ ଆସୁଥିବା ଶତାଧିକ ଯାନବାହାନ ଅଟକ ରହିଛି। ତେଣୁ ଯାତ୍ରୀମାନେ ତଥା ଜନ ସାଧାରଣ ଯାତାୟାତ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖବର ପାଇ ଫତେଗଡ ଥାନା ପୁଲିସ ଓ ଭାପୁର ବିଟ୍ ହାଉସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଉତ୍ତେଜିତ ଜନ ସାଧାରଣଙ୍କୁ ବୁଝାସୁଝା କରୁଥିବା ଜଣା ପଡ଼ିଛି। ଦୁର୍ଘଟଣା ଘଟାଇଥିବା ହାଇୱା ଗାଡିକୁ ଧରିବା ପାଇଁ ବିଜିପୁର ଛକରେ ଥିବା ସି.ସି. ଟିଭି ଗୁଡ଼ିକୁ ଥାନା ଅଧିକାରୀ ପଞ୍ଚାନନ ପରିଡା ଯାଞ୍ଚ କରୁଥିବା ଜଣା ପଡ଼ିଛି। ଘଟଣା ସ୍ଥଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଖଣ୍ଡପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମଦନ ମୋହନ ପ୍ରଧାନ ହାଇୱା ଗାଡିକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ଜଣା ପଡିଛି । ଏନେଇ, ସ୍ଥାନୀୟ ବିଧାୟକ ଇଞ୍ଜିନିୟର ଦୁଷ୍ମନ୍ତ କୁମାର ସ୍ବାଇଁ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବାରମ୍ବାର ଦୁର୍ଘଟଣାକୁ ନେଇ ଜନ ସାଧାରଣ ମାନେ ସକାଳ ୬ଘଟିକା ଠାରୁ ରାତି ୧୦ଘଟିକା ପର୍ଯ୍ୟନ୍ତ ହାଇୱା ଗାଡି ଚଳାଚଳ ବନ୍ଦ କରିବାକୁ ଦାବି କରିଛନ୍ତି। ମୃତ ରାଜୁ ପରିବାର ର ଏକ ମାତ୍ର ପୁଅ ହୋଇଥିବା ବେଳେ କିଛି ମାସ ତଳେ ଭଉଣୀର ବିବାହ ହୋଇଛି। ଏକ ମାତ୍ର ପୁଅକୁ ହରାଇ ବାପା ଓ ମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି।
ସାମ୍ବାଦିକ – ଜ୍ୟୋତିରଞ୍ଜନ ମହାରଣା
