ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ଗ୍ରାମପଞ୍ଚାୟତର ସିଙ୍ଗମିଲା ଗାଁରେ ଘଟିଛି ଅଭାବନୀୟ ଘଟଣା। ପାରିବାରିକ କଳହ ରୁ ବାପା ପୁଅକୁ ଛୁରି ଭୂଷି ହତ୍ୟା କରିଥିବା ଜଣାପଡ଼ିଛି। ହତ୍ୟା କରିବା ପରେ ପୁଅର ବାପା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ମୃତକ ପୁଅର ନାମ ଜିତେନ୍ଦ୍ର ମଲ୍ଲିକ ହୋଇଥିବା ବେଳେ ତାର ବୟସ ୨୦ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ସଂଘମିଲା ଗ୍ରାମର ପ୍ରାଣେଶ୍ୱର ମଲ୍ଲିକ ଏବଂ ତାଙ୍କ ପୁଅ ଜିତେନ୍ଦ୍ର ମଲ୍ଲିକ ମଧ୍ୟରେ ଅଧିକାଂଶ ସମୟରେ ଝଗଡା ହେଉଥିଲା। ପୁଅ ସବୁଦିନ ମଦ ପିଇ ଘରକୁ ଆସି ବାପା ସହିତ ଗଣ୍ଡଗୋଳ କରୁଥିବା ବେଳେ ସବୁଦିନ ପରି ଶନିବାର ସକାଳ ଭୋର ୪ ଟା ସମୟରେ କୌଣସି କାରଣ କୁ ନେଇ ବାପ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ବାପ-ପୁଅ ମଧ୍ୟରେ ଝଗଡା ଉଗ୍ର ରୂପ ନେବାରୁ ଶେଷରେ ବାପା ପ୍ରାଣେଶ୍ୱର ଉତ୍ତ୍ୟକ୍ତ ହୋଇ ନିଜ ପୁଅ ଜିତେନ୍ଦ୍ରକୁ ଏକ ଧାରୁଆ ଛୁରୀରେ ପେଟରେ ଭୂଷି ହତ୍ୟା କରିଥିଲା। ବାପା ର ଛୁରାମାଡ଼ରେ ପୁଅ ଜିତେନ୍ଦ୍ର ମଲ୍ଲିକ ଦୌଡି ପଳାଇଥିବା ବେଳେ ଅନ୍ୟ ଘରେ ମୃତ୍ୟୁ ବରଣ କରିଥିଲେ। ଏହି ଘଟଣା ସମ୍ପର୍କରେ ବାଲିଗୁଡା ପୋଲିସ ଖବର ପାଇ ଆସି ଶବ ଜବତ କରି ବାପା କୁ ଗିରଫ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।