ରାଜକୋଟ: ଆୟର୍ଲାଣ୍ଡ୍ ବିପକ୍ଷ ମହିଳା ଦିନିକିଆ ଶୃଙ୍ଖଳାରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ବେଳେ ଏହି ମ୍ୟାଚ ପରେ ରେକର୍ଡ କରିଛନ୍ତି ଭାରତୀୟ ମହିଳା ଟିମର ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା। ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଶୁକ୍ରବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ସ୍ମୃତି ଦ୍ରୁତତମ ଭାରତୀୟ ଭାବେ ମହିଳା ଦିନିକିଆ ମ୍ୟାଚରେ ୪୦୦୦ ରନ୍ ପୂର୍ଣ୍ଣ କରିଛନ୍ତି। ମନ୍ଧାନା ବିଶ୍ୱର ୧୫ତମ ମହିଳା କ୍ରିକେଟର ଭାବେ ଦିନିକିଆରେ ୪ ହଜାର ରନର ମାଇଲଖୁଣ୍ଟ ଅତିକ୍ରମ କରି ମିତାଲି ରାଜଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଭାବେ ଦିନିକିଆ ମ୍ୟାଚରେ ୪ ହଜାର ରନ ପୂରଣ କରିବାକୁ ସକ୍ଷମ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ମନ୍ଧାନା ଆୟର୍ଲ୍ୟାଣ୍ଡ ବିପକ୍ଷରେ ନେବା ସହିତ ୪୧ ରନର ଇନିଂସ ଖେଳିଥିଲେ। ଏହି ଇନିଂସ ଯୋଗୁ ଆୟର୍ଲଣ୍ଡ ଦେଇଥିବା ୨୩୯ ରନର ଟାର୍ଗେଟକୁ ଭାରତୀୟ ମହିଳା କ୍ରିକେଟ ଦଳ ୯୩ଟି ବଲ ପୂର୍ବରୁ ୪ ୱିକେଟ ହରାଇ ହାସଲ କରି ନେଇଥିଲା। ମନ୍ଧାନା ମାତ୍ର ୨୯ ବଲରେ ୪୧ ରନର ଇନିଂସ ଖେଳି ଭାରତର ଦ୍ରୁତତମ ଓ ବିଶ୍ୱର ତୃତୀୟ ଦ୍ରୁତତମ ଖେଳାଳି ଭାବେ ଏହି ଫର୍ମାଟରେ ୪ ହଜାର ରନ ପୂରଣ କରିଛନ୍ତି।
ପ୍ରକାଶଥାଉ କି, ଏହି ମ୍ଯାଚରେ ଭାରତ ଏକତରଫା ଭାବେ ୬ ୱିକେଟ୍ରେ ବିଜୟୀ ହୋଇଥିବା ବେଳେ ଟସ୍ ଜିତି ଆୟର୍ଲାଣ୍ଡ୍ ପ୍ରଥମେ ବ୍ୟାଟିଂ କରିଥିଲା। ଅଧିନାୟିକା ଗାବି ଲୁଇସ୍ ଓ ଲି ପଲ ଆକର୍ଷଣୀୟ ଅର୍ଦ୍ଧଶତକ କରିବାରୁ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ବିନିମୟରେ ୨୩୮ ରନ୍ ହାସଲ କରିଥିଲା। ଏହାର ପ୍ରତ୍ୟୁତ୍ତରରେ ଭାରତୀୟ ମହିଳା ଦଳ ୩୪.୩ ଓଭରରେ ୪ ୱିକେଟ୍ ବିନିମୟରେ ୨୪୧ ରନ୍ ସଂଗ୍ରହ କରିଥିଲା।