ଢାକା: ଆସନ୍ତା ମାସରେ ଚାମ୍ପିୟନ୍ସ ଟ୍ରଫି ଆୟୋଜିତ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ବାଂଲାଦେଶକୁ ଶକ୍ତ ଝଟକା ଲାଗିଛି। ବାଂଲାଦେଶର ପୂର୍ବତନ ଅଧିନାୟକ ତମିମ ଇକବାଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଶୁକ୍ରବାର ରାତିରେ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ବାଂଲାଦେଶର ଦଳ ପ୍ରସ୍ତୁତ କରୁଥିବା ଜାତୀୟ ଚୟନ କମିଟିକୁ ସାକ୍ଷାତ କରି ଚୟନକର୍ତ୍ତାଙ୍କ ସହ କଥା ହେବା ପରେ ଅବସର ନେବାକୁ ନିଷ୍ପତ୍ତି ନେଇଥିବା ଜଣା ପଡିଛି।
ଏନେଇ ତମିମ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଅବସର ସମ୍ପର୍କରେ ସୂଚନା ଦେଇଛନ୍ତି ।ସେ ଲେଖିଛନ୍ତି ଯେ, ‘ଅନ୍ତର୍ଜାତୀୟ କ୍ରିକେଟରେ ମୋର ଅଧ୍ୟାୟ ଶେଷ ହୋଇଛି। ମୁଁ ବହୁ ପୂର୍ବରୁ ବିସିବି ଚୁକ୍ତିରୁ ଇସ୍ତଫା ଦେଇଥିଲି। ମୁଁ ବର୍ଷେ ହେବ ବିସିବି ଚୁକ୍ତିରେ ନାହିଁ ତେଣୁ ଚାମ୍ପିୟନ୍ସ ଟ୍ରଫିରେ ଚୟନ ହେବାର କୌଣସି ଅର୍ଥ ନାହିଁ। ପ୍ରତ୍ୟେକ କ୍ରିକେଟରଙ୍କର ନିଜର ଭବିଷ୍ୟତ ନିର୍ଦ୍ଧାରଣ କରିବାର ଅଧିକାର ରହିଛି। ତେଣୁ ମୁଁ ଭାବୁଛି ଏହି ସମୟ ଆସିଯାଇଛି।’
ସୂଚନାଯୋଗ୍ୟ ଯେ, ୨୦୨୩ ମସିହା ଜୁଲାଇରେ ଭାରତ ଦ୍ୱାରା ଆୟୋଜନ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପୂର୍ବରୁ ତମିମ ଇକବାଲ ଅବସର ନେଇଥିବା ବେଳେ ପୂର୍ବତନ ଅଧିନାୟକ ମଶରଫି ମୋର୍ତାଜା ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବୁଝାମଣା ପରେ ସେ ଅବସର ନିଷ୍ପତ୍ତିରୁ ୟୁ-ଟର୍ଣ୍ଣ ନେଇଥିଲେ।
ପ୍ରକାଶଥାଉ କି, ବାଂଲାଦେଶର ପୂର୍ବତନ ଅଧିନାୟକ ତଥା ବାମହାତୀ ବ୍ୟାଟ୍ସମ୍ୟାନ୍ ତମିମ୍ ଇକବାଲ ୨୦୦୭ ମସିହା ଫେବୃଆରୀରେ ଦିନିକିଆ ପଦାର୍ପଣ କରି ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ତମିମ ଇକବାଲ ଦିନିକିଆ ମ୍ୟାଚରେ ୮୩୧୩ ରନ ଏବଂ ୧୪ଟି ଶତକ ହାସଲ କରି ବାଂଲାଦେଶ ପାଇଁ ସର୍ବାଧିକ ସ୍କୋର ହାସଲ କରିଥିଲେ।ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପରେ ଭାରତ ବିପକ୍ଷ ବିଜୟରେ ତମିମ ପ୍ରମୁଖ ଭୂମିକା ଗ୍ରହଣ କରି ପ୍ରଥମ ମ୍ୟାଚ୍ ରେ ସେ ମ୍ୟାଚ୍ ବିଜୟୀ ଅର୍ଦ୍ଧଶତକ ହାସଲ କରିଥିଲେ।