ଢାକା: ଭାରତ-ବାଂଲାଦେଶ ମଧ୍ୟରେ ଦିନକୁ ଦିନ ତିକ୍ତତା ବୃଦ୍ଧି ପାଉଥିବା ବେଳେ ପୁଣିଥରେ ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛି ବାଂଲାଦେଶ। ପାଣିପାଗ ବିଭାଗର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଭାରତରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ୟୁନୁସ ସରକାର। ସରକାରୀ ଖର୍ଚ୍ଚରେ ଅଣ-ଅତ୍ୟାବଶ୍ୟକ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକର ଆଳ ଦେଖାଇ ବାଂଲାଦେଶୀରୁ ଅଧିକାରୀମାନେ ଯୋଗ ଦେବେ ନାହିଁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଆସନ୍ତା ୧୫ ତାରିଖରେ ଆଇଏମଡିର ୧୫୦ ବର୍ଷ ପୂରଣ ହେବାକୁ ଯାଉଛି। ଏନେଇ ଜାନୁଆରୀ ୧୪ତାରିଖରେ ଦିଲ୍ଲୀରେ ମଣ୍ଡପମରେ ଏକ ସେମିନାର ଆୟୋଜନ କରାଯାଇଛି। ଏଥିରେ ଯୋଗଦେବା ପାଇଁ ଅବିଭକ୍ତ ଭାରତର ଅଂଶ ଥିବା ପାକିସ୍ତାନ, ବାଂଲାଦେଶ ଏବଂ ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ନିମନ୍ତ୍ରଣ ପଠାଯାଇଥିଲା। ଏଥିରେ ଅଂଶଗ୍ରହଣ କରିବା ନେଇ ପାକିସ୍ତାନ ପକ୍ଷରୁ ନିଶ୍ଚିତ ହୋଇସାରିଥିବା ବେଳେ ବାଂଲାଦେଶ ଏଥିରେ ସାମିଲ ହେବାକୁ ମନା କରିଦେଇଛି।
ଏ ସମ୍ପର୍କରେ ବାଂଲାଦେଶ ପାଣିପାଗ ବିଭାଗ (ବିଏମଡି)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ମୋମିନୁଲ ଇସଲାମ ସୂଚନା ଦେଇଛନ୍ତି ଯେ, ଏକ ମାସ ପୂର୍ବରୁ ଆଇଏମଡିଠାରୁ ନିମନ୍ତ୍ରଣ ମିଳିଥିବା ବେଳେ ଆମେ ଉତ୍ତମ ସମ୍ପର୍କ ବଜାୟ ରଖୁଛୁ ଏବଂ ସେମାନଙ୍କୁ ସହଯୋଗ ଜାରି ରଖିଛୁ । କିନ୍ତୁ ଆମେ ଏହି କାର୍ଯ୍ୟକ୍ରମକୁ ଯାଇପାରିବୁ ନାହୁଁ କାରଣ ସରକାରୀ ଅନୁଦାନପ୍ରାପ୍ତ ଅଣ-ଅତ୍ୟାବଶ୍ୟକ ବିଦେଶ ଯାତ୍ରାକୁ ସୀମିତ କରିବା ପାଇଁ ବାଧ୍ୟତାମୂଳକତା ନିୟମ ରହିଛି।