ୱାଶିଂଟନ: ଶପଥଗ୍ରହଣ ସମାରୋହ ପୂର୍ବରୁ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କୋର୍ଟ ବଡ଼ ଆଶ୍ୱସ୍ତି ମିଳିଛି। ହସ ମନି ମାମଲା ସମେତ ୩୪ଟି ଅଭିଯୋଗରୁ କୋର୍ଟ ତାଙ୍କୁ ନିଃସର୍ତ୍ତରେ ଖଲାସ କରିଛନ୍ତି। ତାଙ୍କୁ ଏବେ ଆଉ ଜେଲ୍ ଯିବାକୁ ପଡିବ ନାହି କିମ୍ବା ଜରିମାନା ଦେବାକୁ ପଡିବ ନାହି। ଏଥିସହିତ ଆମେରିକାର ରାଷ୍ଟ୍ରପତି ଭାବେ ତାଙ୍କୁ କୋର୍ଟ ଶୁଭକାମନା ମଧ୍ୟ ଜଣାଇଛନ୍ତି।
ସୂଚନାଯୋଗ୍ୟ ଯେ, ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରଠାରୁ ଚର୍ଚ୍ଚାରେ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ୍। ହସ ମନି ମାମଲା ସମେତ ୩୪ଟି ମାମଲାରେ ଦୋଷୀସାବ୍ୟସ୍ତ ହେବାପରେ ଶୁକ୍ରବାର ତାଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ। ୨୦୧୬ ମସିହାରେ ଏକ ଆଡଲ୍ଟ ଷ୍ଟାର୍ ଷ୍ଟର୍ମି ଡାନିଏଲ୍ଙ୍କୁ ୧୩୦,୦୦୦ ଡଲାର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା। ଟଙ୍କା ବଦଳରେ ଚୁପ୍ ରହିବାକୁ ଟ୍ରମ୍ପ କହିଥିବା ଅଭିଯୋଗ ହୋଇଥିଲା। ଶୁକ୍ରବାର ଶୁଣାଣିରେ ଟ୍ରମ୍ପ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟ ହାଜର ହୋଇଥିଲେ। ନ୍ୟୁୟର୍କର ଜଜ୍ ଜୁଆନ୍ ମର୍ଚନ୍ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଟ୍ରମ୍ପ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରଅତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବାରୁ କୋର୍ଟ ତାଙ୍କୁ ଅନ୍କଣ୍ଡିସନାଲ ଡିସଚାର୍ଜ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଅର୍ଥ ଟ୍ରମ୍ପଙ୍କୁ ଜେଲ୍ ହେବନି କି ତାଙ୍କୁ ଜରିମାନା ମଧ୍ୟ ଦେବାକୁ ପଡିବ ନାହିଁ। ତେବେ ଜଣେ ଅପରାଧୀ ଭାବେ ଦୋଷୀସାବ୍ୟସ୍ତ ହେବାପରେ ସେ ପ୍ରଥମ ବ୍ୟକ୍ତି ଭାବେ ରାଷ୍ଟ୍ରପତି ପଦରେ ରହିବେ।
ପ୍ରକାଶଥାଉ କି, ଡୋନାଲ୍ଡ ଟ୍ରମ୍ପ୍ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଶପଥଗ୍ରହଣ କରିବେ। ତେବେ ପୂର୍ବରୁ ଟ୍ରମ୍ପ୍ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ, ଶୁଣାଣି ଓ ଦଣ୍ଡାଦେଶକୁ ରାଜନୀତି ପ୍ରେରିତ ବୋଲି କହିଥିବା ବେଳେ କୋର୍ଟର ଏପରି ନିଷ୍ପତ୍ତି ପରେ ଟ୍ରମ୍ପଙ୍କୁ ବଦନାମ କରିବା ପାଇଁ ଏକ ପ୍ରକ୍ରିୟା ଥିଲା ଯାହା ନିଷ୍ଫଳ ହୋଇଛି ବୋଲି କହିଛନ୍ତି।