ଭୁବନେଶ୍ବର: ଓଡ଼ିଶାର ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନିବେଶ ବୃଦ୍ଧି କରିବ ପ୍ରତିଷ୍ଠିତ ଆଇଟି କମ୍ପାନୀ କଗ୍ନିଜାଣ୍ଟ। କମ୍ପାନୀ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ଼ କେନ୍ଦ୍ର। ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ବିସ୍ତାର ହେବ କଗ୍ନିଜାଣ୍ଟର ପରିସର। ୧୮ତମ ପ୍ରବାସୀ ଭାରତୀୟ ସମାରୋହ ପୃଷ୍ଟଭୂମିରେ ଶୁକ୍ରବାର କଗ୍ନିଜାଣ୍ଟ ସିଇଓ ରବି କୁମାର ଜନତା ମଇଦାନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏ ସମ୍ବନ୍ଧରେ ଆଲୋଚନା କରିଛନ୍ତି। ତେବେ କଗ୍ନିଜାଣ୍ଟ ପରିସର ବୃଦ୍ଧି ଲାଗି ଜମି ଯୋଗାଇ ଦେବାସହିତ ଏହାକୁ ଦେଶର ବୃହତ୍ କେନ୍ଦ୍ର ଭାବେ ଗଢିତୋଳିବାରେ ରାଜ୍ୟ ସରକାର ସମସ୍ତ ସହଯୋଗ କରିବେ ବୋଲି ଶ୍ରୀ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ଭୁବନେଶ୍ବର ସ୍ଥିତ କଗ୍ନିଜାଣ୍ଟ କେନ୍ଦ୍ରର ଅଭିବୃଦ୍ଧି ନେଇ ଶ୍ରୀ କୁମାର ଆଲୋଚନା ବେଳେ ସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହ ଆଗାମୀ ୫ ବର୍ଷ ଭିତରେ କମ୍ପାନୀ ରାଜ୍ୟରେ ଆହୁରି ଅଗ୍ରଗତି ଲାଭ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏହି ଅବସରରେ ଆଇଟି କ୍ଷେତ୍ରକୁ ଅଧିକ ନିବେଶ ଓଡ଼ିଶାକୁ ଆଣିବା ଦିଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଗ୍ନିଜାଣ୍ଟ ସିଇଓଙ୍କ ସହଯୋଗ ଲୋଡିଥିଲେ। ସୂଚନା ଯୋଗ୍ୟ ଯେ ପ୍ରବାସୀ ଭାରତୀ ସମାରୋହରେ ଶ୍ରୀ କୁମାରଙ୍କୁ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନୀତ କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।