ହାଇଦରାବାଦ: ପ୍ରବଳ ଲଗାଣ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଜଳ ପ୍ରଳୟ ଦେଖାଦେଇଛି । ଏହାର ପ୍ରଭାବରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହିତ ବିପୁଳ ସମ୍ପତ୍ତି କ୍ଷୟକ୍ଷତି ଘଟିଛି ଏବଂ ୧୯ ଜଣଙ୍କର ପ୍ରାଣହାନି ଘଟିଥିବା ଖବର ହସ୍ତଗତ ହୋଇଛି । ଦୁଇ ରାଜ୍ୟରେ ଏଭଳି ବିପର୍ଯ୍ୟୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଟେଲିଫୋନ ଯୋଗେ କଥା ହେବା ସହିତ କେନ୍ଦ୍ର ପକ୍ଷରୁ ସେମାନଙ୍କୁ ପୂର୍ଣ୍ଣ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି । ଲଗାଣ ବର୍ଷା ଓ ଜଳପ୍ଳାବନ କାରଣରୁ ପ୍ରାୟ ୨୦ ହଜାର ଲୋକଙ୍କୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏଥିସହିତ ୧୪୦ ଟ୍ରେନ ଚଳାଚଳ ବାତିଲ କରିଦିଆଯାଇଛି । ଲଘୁଚାପ ପ୍ରଭାବରେ ଦୁଇ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାାଯାଇଛି । ଏଥିଯୋଗୁଁ ଅନେକ ସ୍ଥାନରେ ରାସ୍ତା ବନ୍ଦ ହୋଇଯିବା ସହିତ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ଏବଂ ହଜାର ହଜାର ଲୋକ ପାଣିଘେରରେ ଅଟକି ରହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଡୁ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ଉଭୟ ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ଦୁଇ ରାଜ୍ୟକୁ କେନ୍ଦ୍ର ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରତିଶୃତି ଦେଇଛନ୍ତି । ପ୍ରବଳ ବର୍ଷା ଯୋଗୁୃଁ ପ୍ରାଣହାନି ଘଟିଥିବା ୧୯ ଜଣଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶରୁ ୯ ଓ ତେଲେଙ୍ଗାନାରୁ ୧୦ଜଣ ଥିବା ଜଣାଯାଇଛି । ଆଉ ତିନିଜଣ ଆନ୍ଧ୍ରରେ ଜଳ ସ୍ରୋତରେ ଭାସିଯାଇ ନିଖୋଜ ଥିବା କୁହାଯାଉଛି । ଅନୁରୂପ ଭାବରେ ତେଲେଙ୍ଗାନାରେ ମଧ୍ୟ ଜଣେ ନିଖୋଜ ଅଛନ୍ତି ।
ପ୍ରବଳ ବର୍ଷା ଓ ତଜ୍ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦକ୍ଷିଣ କେନ୍ଦ୍ରୀୟ ରେଳପଥ (ଏସ୍ସିଆର) ପକ୍ଷରୁ ୧୪୦ ଟ୍ରେନ ଚଳାଚଳ ବାତିଲ କରାଯିବା ସହିତ ୯୭ଟିର ଗତିପଥରେ ପରିବର୍ତ୍ତନ କରାଯାଇଛି । ଏହା ଫଳରେ ପ୍ରାୟ ୬ ହଜାର ଯାତ୍ରୀ ବିଭିନ୍ନ ଷ୍ଟେସନରେ ଅଟକି ରହିଛନ୍ତି । ବନ୍ୟାଜଳ ପ୍ରବାହିତ ହେବାଦ୍ୱାରା ତେଲେଙ୍ଗାନାରେ ଗୋଟିଏ ରେଳ ଟ୍ରାକ ନଷ୍ଟ ହୋଇଛି । ଇତିମଧ୍ୟରେ ଉଭୟ ରାଜ୍ୟରେ ରିଲିଫ ଓ ଉଦ୍ଧାରକାରୀ ଦଳଙ୍କୁ ପ୍ରଭାବିତ ଅଞ୍ଚଳଗୁଡିକରେ ନିୟୋଜିତ କରାଯାଇଛି ।