ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଥିବା ମା ମାଣିକେଶ୍ୱରି ବିଶ୍ଵବିଦ୍ୟାଳୟର ଇନ୍ଦ୍ରାବତୀ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା ନୂଆମୋଡ ନେଇଛି। ମୋବାଇଲ ପାଇଁ ଝିଅକୁ ହତ୍ୟା କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର ସଦସ୍ୟ। ଘଟଣା ସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି ।
ସୂଚନା ଅନୁଯାୟୀ, କଳାହାଣ୍ଡି ଜିଳ୍ଲାର ରାମପୁର ବ୍ଳକ ଅନ୍ତର୍ଗତ ବିରିକୋଟ ଗାଁର ତୋଫାଲି ନାଏକ ମା ମାଣିକେଶ୍ୱରି ବିଶ୍ଵବିଦ୍ୟାଳୟରେ ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଛାତ୍ରୀ ଥିଲେ । ବିଶ୍ବବିଦ୍ୟାଳୟ ପରିସରରେ ଥିବା ଇନ୍ଦ୍ରାବତୀ ଛାତ୍ରୀ ନିବାସରେ ରହି ପାଠ ପଢ଼ୁଥିବା ବେଳେ ବୁଧବାର ମୋବାଇଲ ଫୋନକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ଯୋଗୁଁ ତୋଫାଲିଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ ଆଣିଥିଲେ।
ମୃତ ଛାତ୍ରୀଙ୍କ ବାପାଙ୍କ କହିବା ଅନୁଯାୟୀ, ବୁଧବାର ରାତିରେ ଫୋନ୍ ଯୋଗେ ପରିବାର ସହିତ କଥା ହେଇଥିଲେ ଛାତ୍ରୀ ଜଣକ। କିନ୍ତୁ ଗୁରୁବାର ସକାଳୁ ଛାତ୍ରୀ ନିବାସ ଉପର ମହଲାର ବାଥ୍ରୁମ୍ ରେ ତାଙ୍କର ଝୁଲାନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଏନେଇ କଲେଜ୍ ସୁପରିଟେଣ୍ଡେଣ୍ଟ ତାଙ୍କ ପରିବାର ଓ ପୋଲିସକୁ ଖବର ଦେଇଥିବା ବେଳେ ମୋବାଇଲ ହଜିବା ନେଇ ଅନ୍ୟ ଛାତ୍ରୀ ଜଣକ ଅଭିଯୋଗ ଆଣିଥିଲେ । ତେବେ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଲେ । କଲେଜ୍ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ହଷ୍ଟେଲ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥବା ବେଳେ ସୂଚନା ପାଇ ଘଟଣାସ୍ଥଳରେ ପୋଲିସ୍ ପହଂଚି ପରିବାର ମୃତଦେହ ଉଦ୍ଧାର କରିବା ସହିତ ଲୋକଙ୍କୁ ବୁଝାସୁଝା କରିବା ସହିତ ସନ୍ଧାନି କୁକୁର ଓ ସାଇଣ୍ଟିଫିକ ଟିମ୍ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି।