ଭୁବନେଶ୍ୱର: ଚଳିତ ବର୍ଷ ଭୁବନେଶ୍ୱରସ୍ଥିତ ନୂଆ ଏ. ଜି କଲୋନୀରେ ପୂଜା କମିଟି ଆନୁକୂଲ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ସାର୍ବଜନୀନ ଦୁର୍ଗାପୂଜା l ପବିତ୍ର ବିଜୟା ଦଶମୀ ଅବସରରେ କଲୋନୀରେ ଭାରତର ପ୍ରାୟ ୧୨ଟି ପ୍ରଦେଶର ବିଭିନ୍ନ ଭାଷାଭାଷୀ ଓ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଓଡ଼ିଆ ରୀତିନୀତି ଅନୁସାରେ ମାଙ୍କର ପୂଜା ଅର୍ଚ୍ଚନା ହୋଇଥିଲା l ତେବେ ପୂର୍ଣ୍ଣାହୁତି ପରେ କଲୋନୀର ସଧବା ମହିଳାମାନେ ପରସ୍ପରକୁ ସିନ୍ଦୁର ଲଗାଇ, ପାନ ଓ ମିଠା ଅର୍ପଣ କରି ନାଚର ତାଳେ ତାଳେ ଜଗଜ୍ଜନନୀ ମାଙ୍କୁ ମେଲାଣୀ ଦେବା ସହ ଆସନ୍ତା ବର୍ଷକୁ ପୁନର୍ବାର ଆର୍ବିଭାବ ହେବାକୁ ଅଶ୍ରୁଳ ପ୍ରାଥନା କରିଥିଲେ l ୫ ଦିନ ବ୍ୟାପି ଏହି ପୂଜାରେ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ କରିଥିବା ବେଳେ ବିଭିନ୍ନ ଦିବସରେ ମହିଳା ଓ ଝିଅମାନଙ୍କଦ୍ୱାରା ପାରମ୍ପରିକ ନୃତ୍ୟ, ଭଜନ ସନ୍ଧ୍ୟା ଏବଂ ପ୍ରବାସୀ ରାଜ୍ୟର ଶ୍ରଦ୍ଧାଳୁମାନଙ୍କଦ୍ୱାରା ଦାଣ୍ଡିଆ ନୃତ୍ୟ ପରିବେଷଣ ଅନୁଷ୍ଠିତ ହୋଇଥିଲା l ସଂନ୍ଧ୍ୟାରେ ଦାଣ୍ଡିଆ ନୃତ୍ୟରେ କୃତି ପ୍ରତିଯୋଗୀମାନଙ୍କୁ ପୂଜା କମିଟି ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା l
ଅନ୍ୟପକ୍ଷରେ ସୋମବାର ଭସାଣି ପୂର୍ବରୁ କଲୋନୀ ମଧ୍ୟରେ ମାଙ୍କୁ ବାଣ, ରୋଷଣୀ ଓ ବାଜା ସହ ପ୍ରୋସେସନରେ ନେଇଥିଲେ କମିଟି କାର୍ଯ୍ୟକର୍ତ୍ତା l ଏହି ଅବସରରେ କଲୋନୀ ପୂଜା କମିଟି ସମ୍ପାଦକ କୈଳାସନାଥ ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରତାପ ସାହୁ, ହରପ୍ରସାଦ ମହାପାତ୍ର, ରବିନ୍ଦ୍ରନାଥ ପଣ୍ଡା, ପୁଲିନ ବେହୁରୟ, ଚିତ୍ରେସନ ମହାନ୍ତି, ସୁଶାନ୍ତ ରଥ, ରାଜେଶ ସିଂହ, କାଳୀପ୍ରସାଦ ମିଶ୍ର, ଗଗନ ମନ୍ତ୍ରୀ, ବଳରାମ ପାତ୍ର କାର୍ଯ୍ୟକ୍ରମ ପରିଚାଳନା ସମେତ ସମସ୍ତ ଦାୟିତ୍ୱ ନିର୍ବାହ କରିଥିଲେ l