କେନ୍ଦ୍ରାପଡା: ଆଳି ପୋଲିସକୁ ମିଳିଛି ସଫଳତା । ଦୀର୍ଘ ୧୦ ବର୍ଷ ପରେ ଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ସୂଚନା ଅନୁସାରେ, କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଆଳି ବ୍ଲକ ବଅଢ଼ିହ ଗ୍ରାମରେ ୨୦୧୪ ମସିହାରେ ଅବସରପ୍ରାପ୍ତ ଭାରତୀୟ ଯବାନ ଅର୍ଜୁନ ଚରଣ ରାଉତଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ମୁଖ୍ୟ ଅଭିଯୁକ୍ତ ମନୋଜ ବାରିକ (୩୭) ଦୀର୍ଘ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ଛୋଟରାୟପୁର ଗ୍ରାମରେ ଏକ ନିଛାଟିଆ ଜାଗାରେ ଚାଳିଆ କରି ଲୁଚି ରହିଆସୁଥିଲା। ଖବର ପାଇ ଆଳି ଥାନା ଅଧିକାରୀ ସବ୍ୟସାଚୀ ଶତପଥୀଙ୍କ ନିର୍ଦ୍ଦେଶରେ ଏକ ପାଞ୍ଚ ଜଣିଆ ଦଳ ମଙ୍ଗଳବାର ସନ୍ଧ୍ୟାରେ ଆଳି ପୋଲିସ ଅଭିଯୁକ୍ତକୁ କାବୁ କରି ଗିରଫ କରିଥିଲେ । ବୁଧବାର ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।