ଲକ୍ଷ୍ନୋ: ଉତ୍ତର ପ୍ରଦେଶର ସମ୍ଭଲରେ ଏକ ମସଜିଦରେ ସର୍ଭେ କାର୍ଯ୍ୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଉଭୟ ପକ୍ଷ ପରସ୍ପର ଉପରକୁ ଢେଲାପଥର ମାଡ କରିଥିବାବେଳେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିବା ଜଣାଯାଇଛି । ସୁପ୍ରିମକୋଟର ଜଣେ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଦାଏର କରିଥିବା ଏତଲାରେ ଅଭିଯୋଗ କରାଯାଇଛି ଯେ, ମୋଗଲ ସମ୍ରାଟ ବାବର ହିନ୍ଦୁମାନଙ୍କର ହରି ହର ମନ୍ଦିରକୁ ଭାଙ୍ଗି ଦେଇଥିଲେ । ଉକ୍ତ ମନ୍ଦିର ପୂର୍ବରୁ ଯେଉଁସ୍ଥାନରେ ଥିଲା ସେଠାରେ ଶାହି ମସଜିଦ ନିର୍ମାଣ କରାଯାଇଛି । ଉକ୍ତ ମସଜିଦର ସର୍ଭେ କରାଯିବା ସମୟରେ ଦୁଇ ସମୁଦାୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା ଏବଂ ତାହା କ୍ରମଶଃ ଭୀଷଣ ରୂପ ଧାରଣ କରିଥିଲା । ରବିବାର ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଢେଲାପଥର ମାଡ ଓ ଆକ୍ରମଣ ଆରମ୍ଭ କରିଦେଇଥିଲେ । ସର୍ଭେ କାର୍ଯ୍ୟକୁ ବିରୋଧ କରୁଥିବା ଶତାଧିକ ଲୋକ ଶାହି ଜାମା ମସଜିଦ ନିକଟରେ ସମବେତ ହୋଇ ସର୍ଭେ ଦଳକୁ ଫେରିଯିବାକୁ କହିଥିଲେ । କିନ୍ତୁ ସର୍ଭେ ଦଳ ନହଟିବାରୁ ବିରୋଧ କରୁଥିବା ଲୋକମାନେ ସର୍ଭେ ଦଳ ଉପରକୁ ଢେଲାମାଡ କରିଥିଲେ । ସେଠାରେ ମୁତୟନ ଥିବା ପୋଲିସ କର୍ମଚାରୀ ଗଣ୍ଡଗୋଳକାରୀଙ୍କୁ ଘଉଡାଇବାକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ ।
ଜାମା ମସଜିଦ ଭିତରେ ଥିବା ତାହାର ମୁଖ୍ୟ ମାଇକ ଯୋଗେ ଲୋକମାନଙ୍କୁ ସେଠାରୁ ଚାଲିଯିବାକୁ ନିବେଦନ କରିଥିଲେ । କିନ୍ତୁ ସେମାନେ ନିଜର ବିରୋଧ ଜାରି ରଖିଥିବା ଜଣାଯାଇଛି । ଉପସ୍ଥିତ ବରିଷ୍ଠ ପୋଲିସ ଅଧିକାରୀମାନେ ସେମାନଙ୍କୁ ବୁଝାଇବା ଉଦ୍ୟମ କରି ବିଫଳ ହୋଇଥିଲେ ଏବଂ ତାହା ଭୟଙ୍କର ରୂପ ଧାରଣ କରିଥିଲା । ସୂଚନାଯୋଗ୍ୟ ଯେ ଅଦାଲତଙ୍କ ନିଦେ୍ର୍ଦଶକ୍ରମେ ଉକ୍ତ ମସଜିଦର ସର୍ଭେ କରାଯାଉଥବାବେଳେ କେତେକ ଅସାମାଜିକ ଲୋକ ତାହାକୁ ବିରୋଧ କରି ଢେଲାପଥର ମାଡ କରିଥିଲେ । ସମ୍ଭଲ ପୋଲିସ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ଢେଲାପଥର ଫିଙ୍ଗିଥିବା ଲୋକଙ୍କ ବିରୋଧରେ ପୋଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ତେବେ ଗଣ୍ଡଗୋଳ ଓ ବିରୋଧ ସତ୍ତ୍ୱେ ଅଦାଲତଙ୍କ ଦ୍ୱାରା ନିୟୋଜିତ ଆଡଭୋକେଟ କମିଶନ ସେଠରେ ସର୍ଭେ କାର୍ଯ୍ୟ ଶେଷ କରିଥିଲେ ଏବଂ ସମୁଦାୟ ପ୍ରକି୍ରୟାର ଭିଡିଓ ଚିତ୍ର ଉତ୍ତୋଳନ କରାଯାଇଥିଲା । କମିଶନ ତାଙ୍କ ରିପୋର୍ଟ ଅଦାଲତରେ ଚଳିତ ମାସ ୨୯ ତାରିଖରେ ଦାଖଲ କରିବେ ବୋଲି ଜଣାଯାଇଛି ।