ଲାହୋର : ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ପ୍ରତିଷ୍ଠାତା ତଥା ଭାରତର ମୋଷ୍ଟ ଓ୍ବାଣ୍ଟେଡ୍ ମାସୁଦ ଆଝାରକୁ ନେଇ ବଡ ସୂଚନା ମିଳିଛି। ଆଫଗାନିସ୍ତାନରେ ଥିବାବେଳେ ସେ ହୃଦଘାତର ଶିକାର ହୋଇଥିବା ଜଣା ପଡିଛି । ଏହାପରେ ଗୋପନରେ ତାକୁ ପାକିସ୍ତାନର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ମାସୁଦ ଆଝାର ଆଫଗାନିସ୍ତାନର ଖୋଷ୍ଟ ପ୍ରଦେଶରେ ଲୁଚି ରହିଥିବା ବେଳେ ଏଠାରେ ତାହାର ହୃଦଘାତ ହୋଇଥିଲା। ହୃଦଘାତ ପରେ ମାସୁଦକୁ ଖୋଷ୍ଟ ପ୍ରଦେଶରୁ ଗୋର୍ବାଜ ଅଞ୍ଚଳ ଦେଇ ପାକିସ୍ତାନ ପଠାଯାଇଥିଲା। ଏହା ପରେ କରାଚିର ମିଳିତ ସାମରିକ ହସ୍ପିଟାଲରେ ଭର୍ତ୍ତି କରାଯାଉଥିବା ଗୋଇନ୍ଦା ସୂତ୍ରରୁ ପ୍ରକାଶ ପାଇଛି । ଆଝାରର ଚିକିତ୍ସା ପାଇଁ ଇସଲାମାବାଦରୁ ହୃଦରୋଗ ବିଶେଷଜ୍ଞମାନେ କରାଚିରେ ପହଁଚିଥିବା ଜଣା ପଡିଛି। ତେବେ ଖୁବ୍ ଶୀଘ୍ର ରାଓ୍ଵଲପିଣ୍ଡିର ସବୁଠାରୁ ବଡ଼ ଏବଂ ଅତ୍ୟାଧୁନିକ ସାମରିକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଥିବା ସୂଚନା ମିଳିଛି।
ପ୍ରକାଶଥାଉ କି, ୧୯୯୯ ମସିହା ଡିସେମ୍ବରରେ କାଠମାଣ୍ଡୁରୁ କାନ୍ଦାହାର ଅଭିମୁଖେ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆ ବିମାନ ଆଇସି-୮୧୪ ଅପହରଣ ଘଟଣାରେ ଭାରତ ସରକାର ଯାତ୍ରୀଙ୍କ ବଦଳରେ ମାସୁଦ ଆଝାରକୁ ମୁକ୍ତ କରିଥିଲେ। ମୁକ୍ତ ହେବାପରେ ମାସୁଦ ଜୈଶ-ଏ-ମହମ୍ମଦ (ଜେଇଏମ୍)ର ପ୍ରତିଷ୍ଠା କରିଥିଲା। ତେବେ ଆମେରିକା ଓ ଜାତିସଂଘ ଅନ୍ତର୍ଜାତୀୟ ମଧ୍ୟ ମାସୁଦକୁ ଆତଙ୍କବାଦୀ ଘୋଷଣା କରିଛି ।