ନୂଆଦିଲ୍ଲୀ: ଭାରତରେ ସମାନ୍ତରାଳ ଭାବେ ସାଧାରଣ ନିର୍ବାଚନ ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନ କରାଇବା ଲାଗି ଉଦ୍ଦିଷ୍ଟ କେନ୍ଦ୍ର ସରକାରଙ୍କ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ବିଧେୟକକୁ ସମ୍ପୂର୍ଣ୍ଣ ଦେଶରେ ଅକୁଣ୍ଠ ସମର୍ଥନ ମିଳୁଛି। ଦେଶର ଭୋଟରମାନେ ଏହାକୁ ଦୃଢ ସମର୍ଥନ ଦେଉଥିବା ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ଦେଶବ୍ୟାପୀ କରାଯାଇଥିବା ସର୍ଭେ ବେଳେ ଲକ୍ଷ୍ୟ କରାଯାଇଛି। ସର୍ଭେ ଅନୁସାରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ ବା ଓଏନଓଇ’କୁ ପାଖାପାଖି ୮୦.୧% ସମର୍ଥନ ରହିଛି। କେବଳ ୧୬% ଲୋକ ଏହି ବିଧେୟକକୁ ସମର୍ଥନ କରୁ ନ ଥିବା ବେଳେ ୩.୯% ଲୋକ ଏହାକୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି। ତେବେ କେନ୍ଦ୍ରୀୟ ଭାରତରେ ଓଏନଓଇ ବିଧେୟକକୁ ସର୍ବାଧିକ ସମର୍ଥନ ରହିଛି। ସର୍ଭରେ ଅଂଶଗ୍ରହଣ କରିଥିବା ସମସ୍ତ କେନ୍ଦ୍ରୀୟ ଭାରତୀୟ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୯୦.୭% ଲୋକ ବିଧେୟକ କାର୍ଯ୍ୟକାରୀ ହେବା ଦ୍ବାରା ନିର୍ବାଚନୀ ପ୍ରକ୍ରିୟାକୁ ନେଇ ସର୍ବିବିଧ ସମସ୍ୟାର ସମାଧାନ ହେବ ବୋଲି ମତ ଦେଇଛନ୍ତି। ସେହିଭଳି ଉତ୍ତର ଭାରତରେ ୮୭.୩% ଏବଂ ପୂର୍ବ ଭାରତରେ ୮୪% ଅଂଶଗ୍ରହଣକାରୀ ବିଧେୟକକୁ ସମର୍ଥନ କରିଛନ୍ତି। ଉତ୍ତର ପୂର୍ବ ଭାରତ ୭୩.୯% ଏବଂ ପଶ୍ଚିମ ଭାରତ ୭୨.୯% ସମର୍ଥନ ବିଧେୟକକୁ ମିଳିଥିବା ବେଳେ ଦକ୍ଷିଣ ଭାରତରେ ସବୁଠାରୁ କମ୍ ୬୯.୭% ଲୋକ ଏହି ବିଲ୍କୁ ଉପାଦେୟ ମଣୁଛନ୍ତି।
୨୦୨୪ ଡିସେମ୍ବର ୨୩ରୁ ୩୧ ପର୍ଯ୍ୟନ୍ତ ଦେଶର ୨୯ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ସର୍ଭେ କରାଯାଇଥିଲା। ସହରାଞ୍ଚଳର ୬୬.୧% ଏବଂ ଗ୍ରାମାଞ୍ଚଳର ୩୩.୯% ଅଂଶଗ୍ରହଣକାରୀଙ୍କୁ କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବିତ ବିଲ୍ ସମ୍ବନ୍ଧରେ ପ୍ରଶ୍ନ କରାଯାଇଥିଲା। ସର୍ଭେରେ ୭୩.୭% ପୁରୁଷ ଏବଂ ୨୬.୩% ମହିଳା ସାମିଲ ହୋଇ ନିଜର ବିଧେୟକ ସମ୍ବନ୍ଧରେ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ଉତ୍ତର ପୂର୍ବ ଭାରତରୁ ଅଧିକାଂଶ ମହିଳା ଏହି ସର୍ଭେରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ଉଲ୍ଲେଖ ଯେ ଦେଶରେ ସମକାଳୀନ ସାଧାରଣ ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ କରାଇବାବା ନେଇ, ବିଶେଷକରି ବ୍ୟବସାୟୀ, ଉଦ୍ୟୋଗପତି, କୃଷକ, ଶ୍ରମିକ ଏବଂ ଗୃହିଣୀଙ୍କ ମଧ୍ୟରେ ଆଗ୍ରହ ରହିଥିବା ଲକ୍ଷ୍ୟ କରାଯାଇଛି।
ଦେଶରେ ଏକକାଳୀନ ନିର୍ବାଚନ ହେବା ଦ୍ବାରା ଖର୍ଚ୍ଚ କମିବ ଏବଂ ରାଜସ୍ବ ସଞ୍ଚୟ ହେବ ବୋଲି ୮୧.୨% ଅଂଶଗ୍ରହଣକାରୀ ମତ ଦେଇଥିଲେ। ସେହିଭଳି ୮୦.୮%ଙ୍କ ମତ ଥିଲା ଯେ ଏହା ଦ୍ବାରା ଦୈନନ୍ଦିନ ଜୀବନରେ ସୃଷ୍ଟି ହେଉଥିବା ବ୍ୟାଘାତ ହ୍ରାସ ପାଇବ। ଏମିତିକି ପ୍ରାର୍ଥୀ ଓ ପାର୍ଟି ମଧ୍ୟରେ ମତାନ୍ତର କାରଣରୁ ସୃଷ୍ଟ ସମସ୍ୟା କମିବ ବୋଲି ମଧ୍ୟ ୫୦% ଅଂଶଗ୍ରହଣକାରୀ ଉଲ୍ଲେଖ କରିଛନ୍ତି। ୫୫.୯% ଅଂଶଗ୍ରହଣକାରୀଙ୍କ ମତରେ ଏହା ଦ୍ବାରା ଭୋଟରଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି ହେବ ନାହିଁ। ଉଲ୍ଲେଖ ଯେ ଏକ ରାଷ୍ଟ୍ର ଏକ ନିର୍ବାଚନ ସମ୍ବନ୍ଧୀୟ ଦୁଇଟି ବିଧେୟକ ଉପରେ ୩୯ ଜଣିଆ ସଂସଦୀୟ କମିଟି ସମୀକ୍ଷା କରୁଛି।