ନୂଆଦିଲ୍ଲୀ : ଇସ୍ରୋ ପକ୍ଷରୁ ମହାକାଶକୁ ପଠାଯାଇଥିବା ଦୁଇଟି ଉପଗ୍ରହକୁ ଯୋଡିବା (ଡକିଂ) କାର୍ଯ୍ୟ ଦ୍ୱିତୀୟ ଥର ପାଇଁ ସ୍ଥଗିତ ରଖାଯରାଇଛି। ସ୍ପେଡେକ୍ସ ନାମରେ ପରିଚିତ ଏହି ଅଭିଯାନ ମୂଳତଃ ମଙ୍ଗଳବାର କରାଯିବାକୁ ଧାର୍ଯ୍ୟ କରାଯାଇଥିଲା । ତେବେ ତାହାକୁ ଗୁରୁବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ଏହା ଦ୍ୱିତୀୟ ଥର ପାଇଁ ସ୍ଥଗିତ ରହିଥିଲା । କିନ୍ତୁ ତାହା ସମ୍ଭବ ହୋଇନାହିଁ । ‘ଏକ୍ସ’ରେ ପୋଷ୍ଟ କରି ବେଙ୍ଗାଲୁରୁସ୍ଥିତ ଇସ୍ରୋ ପକ୍ଷରୁ ଏହି ଘୋଷଣା କରାଯିବା ସହିତ ଡକିଂ ନିମନ୍ତେ ପରବର୍ତ୍ତୀ ତାରିଖ ଘୋଷଣା କରାଯାଇନାହିଁ । କୁହାଯାଇଛି ଯେ ଦୁଇ ଉପଗ୍ରହ ଯେଉଁ ବେଗରେ ଗତି କରିବା କଥା ତାହା ଅଧିକ ରହିଥିବା ଜଣାଯାଇଛି । ସେଥିପାଇଁ ଗୁରୁବାରର ଡକିଂକୁ ସ୍ଥଗିତ ରଖାଯାଇଛି । ଏହା ପୂର୍ବରୁ ମଙ୍ଗଳବାର ମଧ୍ୟ ଇସ୍ରୋ ଏହି ପରୀକ୍ଷଣକୁ ସ୍ଥଗିତ ରଖିଥିଲା । ଇସ୍ରୋ ପକ୍ଷରୁ କୁହାଯାଇଥିଲା ଯେ ଏହି ପ୍ରକ୍ରିୟା ନିମନ୍ତେ ଭୂପୃଷ୍ଠ ସିମୁଲେସନ ଜରିଆରେ ଅଧିକ ବୈଧୀକରଣର ଆବଶ୍ୟକତା ରହିଛି ।
ଭାରତ ପାଇଁ ସ୍ପେଡେକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ମହାକାଶ କାର୍ଯ୍ୟକ୍ରମ ଭାବରେ ପରିଗଣିତ ହେଉଛି, ଯାହା ଦୁଇଟି କ୍ଷୁଦ୍ର ଉପଗ୍ରହକୁ ନେଇ ମହାକାଶ ଯାନର ଯାତ୍ରା, ଡକିଂ ଏବଂ ଅନ୍ଡକିଂ ନିମନ୍ତେ ଡିଜାଇନ କରାଯାଇଛି । ଏହା ଉପଗ୍ରହକୁ ସେବା ଯୋଗାଣ, ମହାକାଶ କେନ୍ଦ୍ର ପରିଚାଳନା ଏବଂ ଆନ୍ତଃଗ୍ରହସ୍ତରୀୟ ଅଭିଯାନ ନିମନ୍ତେ ଭାରତର ଭବିଷ୍ୟତ ମହାକାଶ କାର୍ଯ୍ୟକଳାପ ପାଇଁ ଏକ ମାଇଲଖୁଣ୍ଟ ଭାବରେ ବିବେଚନା କରାଯାଉଛି।
ସୂଚନାଯୋଗ୍ୟ ଯେ, ଡିସେମ୍ବର ୩୦ ତାରିଖରେ ଇସ୍ରୋ ପକ୍ଷରୁ ପୋଲାର ସାଟେଲାଇଟ ଲଞ୍ଚ୍ ଭେଇକଲ (ପିଏସଏଲଭି) ଦୁଇଟି ୨୨୦ କିଲୋଗ୍ରାମ ଓଜନର ଉପଗ୍ରହକୁ ନେଇ ମହାକାଶ ଯାତ୍ରା କରିବା ସହିତ ତାହାକୁ ୪୭୦ କିଲୋମିଟର ଆବର୍ତ୍ତୀ କକ୍ଷପଥରେ ସ୍ଥାପନ କରିଥିଲା। ଏପର୍ଯ୍ୟନ୍ତ ବିଶ୍ୱରେ ଚୀନ, ଆମେରିକା ଏବଂ ରୁଷ ଆଦି ଜଟିଳ ଡକିଂ ପ୍ରକ୍ରିୟା ସଫଳତାର ସହିତ ସମ୍ପାଦନ କରିବାରେ ସଫଳ ହୋଇଛନ୍ତି ।