ନୂଆଦିଲ୍ଲୀ: ବାଣିଜ୍ୟିକ ନଗର ମୁମ୍ବାଇରେ ବହୁ ପୂର୍ବରୁ ପହଞ୍ଚିସାରିଛି ଏଚଏମପିଭି ଭୂତାଣୁ । ଏଠାକାର ପୋଓ୍ବାଇ ଅଞ୍ଚଳରେ ଥିବା ହରିନନ୍ଦନୀ ହସ୍ପିଟାଲରେ ୬ ମାସର ଶିଶୁଠାରେ ଚିହ୍ନଟ କରାଯାଇଥିଲା ଏଚଏମପିଭି ସଂକ୍ରମଣ । ଏହି ମାମଲଶ ଜଣାପଡିବା ପରେ ବର୍ତ୍ତମାନ ସଂକ୍ରମିତ ସଂଖ୍ୟା ମହାରାଷ୍ଟ୍ରରେ ୩ ଛୁଇଁଥିବା ବେଳେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୯ରେ ପହଞ୍ଚିଛି। ସଂକ୍ରମିତ ଶିଶୁଟିକୁ ଜାନୁଆରୀ ପହିଲାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶିଶୁର ଶରୀରରେ ଅମ୍ଳଯାନ ସ୍ତର ୮୪%କୁ ଖସିବା ସହ ପ୍ରବଳ କାସ ଏବଂ ରକ୍ତ ସଂଚାରଣରେ ସମସ୍ୟା ଭଳି ଲକ୍ଷଣ ଦେଖି ଡାକ୍ତରମାନେ ତାର ରାପିଡ ପିସିଆର ଟେଷ୍ଟ କରାଇଥିଲେ। ରିପୋର୍ଟ ପଜିଟିଭ ଆସିବା ପରେ ଏବେ ପ୍ରକାଶ ପାଇଥିବା ଲକ୍ଷଣଗୁଡିକର ଚିକିତ୍ସା କରାଯାଇଛି। ଶିଶୁଟିକୁ ଆଇସିୟୁରେ ରଖି ବ୍ରୋଙ୍କୋଡାଇଲେଟାର ଭଳି ଔଷଧ ପ୍ରୟୋଗ ପୂର୍ବକ ଉପଚାର କରାଯାଇଛି। ଉଲ୍ଲେଖ ଯେ ବର୍ତ୍ତମାନ ସୁଦ୍ଧା ଏଚଏମପିଭି ସଂକ୍ରମଣର କୌଣସି ନିର୍ଦ୍ଦିଷ୍ଟ ଉପଚାର ନାହିଁ। ଶିଶୁଟି ୫ ଦିନ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଏବେ ଘରକୁ ଫେରିଯାଇଥିବା ଜଣାପଡିଛି। ମାତ୍ର ଏ ସମ୍ବନ୍ଧରେକୌଣସି ସୂଚନା ହସ୍ତଗତ ହୋଇ ନ ଥିଲା ବୋଲି ବ୍ରିହାନ ମୁମ୍ବାଇ ପୌର ନିଗମ ପକ୍ଷରୁ କୁହାଯାଇଛି।
ଦେଶରେ ବ୍ୟାପୁଥିବା ହ୍ୟୁମାନ ମେଟାନିମୋଭାଇରସ୍ (ଏଚଏମପିଭି) କରୋନା ଭୂତାଣୁ ସାର୍ସ-କୋଭ-୨ ସହିତ ତୁଳନୀୟ ନୁହେଁ, କି ତାହା ଭଳି ଭୟାବହ ନୁହେଁ। ତଥାପି ଏହି ଭୂତାଣୁକୁ ନେଇ ସାବଧାନ ରହିବା ବୁଦ୍ଧିମାନୀ ହେବ। ଭାରତରେ ଏଚଏମପିଭି ଭୂତାଣୁ ସଂକ୍ରମଣ ବଢୁଥିବା ବେଳେ ଏହି ଭୂତାଣର ଭୟାବହତାକୁ ନେଇ ଏଭଳି ମତ ରଖିଛନ୍ତି ଦେଶର ପ୍ରମୁଖ ଭୂତାଣୁବିଜ୍ଞାନୀ ଡକ୍ଟର ସୌମିତ୍ର ଦାସ। ଏଚଏମପିଭି ନୋବେଲ ଭୂତାଣୁ ହୋଇ ନ ଥିବାରୁ ଏହାକୁ ନେଇ ଆତଙ୍କିତ ହେବାର କିଛି ନାହିଁ ବୋଲି ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ମାଇକ୍ରୋବାୟୋଲୋଜି ଏବଂ ସେଲ୍ ବାୟୋଲୋଜି ବିଭାଗର ଅଧ୍ୟକ୍ଷ ତଥା ପ୍ରଫେସର ଶ୍ରୀ ଦାସ ପୁନଃ ସ୍ପଷ୍ଟ କରିଛନ୍ତି।