ଭୁବନେଶ୍ବର: ବିଦ୍ୟୁତ୍ ଶ୍ରମିକମାନଙ୍କ ସହିତ ଚୁକ୍ତି ଖିଲାପୀ ନେଇ ଟାଟା ପାଓ୍ବାର ଓ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୁର ମହାସଂଗଠନ ମଧ୍ୟରେ ହେବାକୁ ଥିବା ଆଲୋଚନାକୁ ସ୍ଥଗିତ ରଖାଯାଇଛି। ଏହି ଆଲୋଚନା ଆଗାମୀ ୧୬ରେ ଶ୍ରମ କମିଶନଙ୍କ କାର୍ଯ୍ୟାଳୟରେ ଅପରାହ୍ଣ ୩ଟା୩୦ରେ ହେବ। ଏ ନେଇ ରାଜ୍ୟ ଶ୍ରମ କମିଶନ ବୁଧବାର ଟାଟା ପାଓ୍ବାରକୁ ଏକ ଚିଠି ଲେଖି ଅବଗତ କରିଛନ୍ତି। ଉଲ୍ଲେଖ ଯେ, ୨୦୨୪ ଡିସେମ୍ବର ୨୪ରେ ଟାଟା ପାଓ୍ବାର ଏବଂ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୁର ମହାସଂଗଠନ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଏକ ବୁଝାମଣା ହୋଇଥିଲା। ମାତ୍ର କମ୍ପାନୀ କ୍ୟାଡର ପୁନର୍ଗଠନ, ନୀତି ନିର୍ଦ୍ଧାରଣରେ ମାନବ ସମ୍ବଳ କମିଟି ନିଷ୍କ୍ରିୟତ, ଉପଯୁକ୍ତ ନୀତି ନ ଆଣି ଏନଇ-୫କୁ ଉଚ୍ଛେଦ ଏବଂ ଏନଇ୬ ଓ ଏନଇ୭ ପ୍ରଭୃତିର ୟୁନିଫର୍ମ ଅପଗ୍ରେଡ ଭଳି ବିଭିନ୍ନ ପ୍ରସଙ୍ଗରେ ଚୁକ୍ତିର ଖିଲାପ କରିଥିବା ନେଇ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହା ଉପରେ କମିଶନ ଟାଟା ପାଓ୍ବାରକୁ ଜବାବ ତଲବ କରିଥିଲେ। ଟାଟା ପାଓ୍ବାର ମ୍ୟାଜେନମେଣ୍ଟ ପକ୍ଷରୁ କୁହାଯାଇଥିଲା ଯେ କେତେକ ପ୍ରସଙ୍ଗରେ ଓପିଟିସିଏଲର ଚୂଡାନ୍ତ ନିଷ୍ପତ୍ତିକୁ କମ୍ପାନୀ ଅପେକ୍ଷା କରିଛି। ପାରିଶ୍ରମିକ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଶ୍ରମିକମାନଙ୍କ ସହିତ ଆଲୋଚନା କରିବାକୁ ମ୍ୟାନେମେଣ୍ଟ ପ୍ରସ୍ତୁତ ଥିବା କହିଛି। ଏ ସଂକ୍ରାନ୍ତରେ ଅନ୍ୟ ସଙ୍ଘୀୟ ସଂସ୍ଥାଗୁଡିକ ସହିତ କମ୍ପାନୀ ଆଲୋଚନା କରିଥିବା ବେଳେ ଶ୍ରମିକ ସଂଗଠନ ଏଥିରେ ସହମତ ନ ଥିବା ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଥିଲା। ଆଗାମୀ ୧୬ରେ ଉଭୟ ପକ୍ଷ ମଧ୍ୟରେ ଏହା ଉପରେ ଆଲୋଚନା ହେବ।