ଓ୍ବାଶିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ଶକ୍ତ ଝଟକା। ହସ୍ ମନି ମାମଲାରେ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନରେ ଟ୍ରମ୍ପଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିବା ପାଇଁ ଅନୁରୋଧ କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଖଣ୍ଡପୀଠ ଟ୍ରମ୍ପଙ୍କ ଏହି ଆବେଦନକୁ ଖାରଜ କରି ଶୁକ୍ରବାର ବିଚାରପତି ଜୁଆନ ଏମ ମର୍ଚାନଙ୍କୁ ଦଣ୍ଡ ଘୋଷଣା କରିବାକୁ ଅନୁମତି ଦେଇଛନ୍ତି। ତେବେ କୋର୍ଟଙ୍କ ଏହି ନିଷ୍ପତ୍ତି ଟ୍ରମ୍ପଙ୍କ ଆଇନଗତ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି।
ସୂଚନାଯୋଗ୍ୟ ଯେ, ହସ୍ ମନି ମାମଲାରେ, ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲସଙ୍କୁ ୧.୩ ଲକ୍ଷ ଡଲାର ଦେବା ମାମଲାରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। କିନ୍ତୁ ଟ୍ରମ୍ପ ଏହି ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଛନ୍ତି। ଅପରପକ୍ଷରେ ନ୍ୟୁୟର୍କ କୋର୍ଟ ଟ୍ରମ୍ପଙ୍କୁ ତାଙ୍କ ବ୍ୟକ୍ତିଗତ ବ୍ୟାପାର ସହିତ ଜଡିତ ବ୍ୟବସାୟିକ ରେକର୍ଡ ଜାଲିଆତିର ୩୪ଟି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି।
ପ୍ରକାଶଥାଉ କି, ଟ୍ରମ୍ପଙ୍କ ଓକିଲ ଡି ଜନ ସ୍ବାୟର କୋର୍ଟରେ ଯୁକ୍ତି ବାଢିଥିଲେ ଯେ ଟ୍ରମ୍ପଙ୍କ ଆବେଦନର ଶୁଣାଣି ନହେବା ପର୍ଯ୍ୟନ୍ତ ଦଣ୍ଡାଦେଶକୁ ସ୍ଥଗିତ ରଖାଯିବା ଉଚିତ, ଯାହା ଦ୍ୱାରା ସେ ରାଷ୍ଟ୍ରପତି ହେବା ପ୍ରକ୍ରିୟାରେ କୌଣସି ସମସ୍ୟା ହେବନାହିଁ।