ନୂଆଦିଲ୍ଲୀ,୧୦।୧: ବୈଶ୍ବିକ ସ୍ତରରେ ଭାରତର ଗରିମା ବୃଦ୍ଧି କରିବାରେ ପ୍ରବାସୀ ଭାରତୀୟଙ୍କ ଭୂମିକାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୂୟସୀ ପ୍ରଶଂସା କରିଛନ୍ତି। ତିନି ଦିନିଆ ପ୍ରବାସୀ ଭାରତୀୟ ସମାରୋହର ଉଦଯାପନୀ ସମାରୋହରେ ଯୋଗ ଦେଇ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ, ପ୍ରବାସୀ ଭାରତୀୟଙ୍କୁ ନେଇ ଭାରତ କେବଳ ଗର୍ବିତ ନୁହେଁ ବରଂ, ନିୟୁତ ନିୟୁତ ଭାରତୀୟ ସେମାନଙ୍କୁ ନିଜର ଆଦର୍ଶ ମାନୁଛନ୍ତି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ଏମାନେ ପ୍ରଶଂସିତ ହୋଇଛନ୍ତି। ଏହି ସମାରୋହ ମାଧ୍ୟମରେ ବିଶ୍ବ ବିକଶିତ ଭାରତର ଆଭିମୁଖ୍ୟ ସହିତ ପରିଚିତ ହୋଇପାରିଛି। ଆଜିର ଭାରତ ପ୍ରଗତିର ନୂତନ ସ୍ତର ଛୁଇଁଥିବା ବେଳେ ନବସୃଜନ ବିଚାରଧାରାର ଯୁବପିଢିଙ୍କୁ ନେଇ ଭାରତ ବିକଶିତ ଭାରତର ଆଭିମୁଖ୍ୟ ପୂରଣ କରିବାକୁ ଯାଉଛି। ବିକାଶର ଏ ବିପ୍ଳବରେ ଭାରତ ଅନେକ ଯୋଜନା ହାତକୁ ନେଇଛି। ଆଗାମୀ ଦିନରେ ଭାରତର ଆଭିମୁଖ୍ୟ ପୂରଣରେ ପ୍ରବାସୀ ଭାରତୀୟଙ୍କ ସହଯୋଗ ଜରୁରୀ ବୋଲି ସେ କହିଛନ୍ତି। ଏହି ଅବସରରେ ପ୍ରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆୟୋଜନକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ । ପ୍ରବାସୀ ଭାରତୀୟ ଦିବସ ଏଭଳି ଏକ ପ୍ଲାଟଫର୍ମ ଯେଉଁଠାରେ ଭାରତ ଓ ବିଦେଶରେ ରହୁଥିବା ପ୍ରବାସୀଙ୍କ ମଧ୍ୟରେ ବନ୍ଧନ ମଜବୁତ୍ ହୁଏ । ପ୍ରବାସୀ ଭାରତୀୟଙ୍କ ପାଇଁ ଭାରତ ସରକାର ଅନେକ କିଛି ଯୋଜନା କରିଥିବା ରାଷ୍ଟ୍ରପତି କହିଛନ୍ତି। ଏହି ଅବସରରେ ବୈଶ୍ବିକ ସ୍ତରରେ ଖ୍ୟାତି ଲାଭ କରିଥିବା ୨୪ ରାଷ୍ଟ୍ରର ୨୭ ଜଣ ପ୍ରବାସୀ ଭାରତୀୟଙ୍କୁ ରାଷ୍ଟ୍ରପତି ମୁର୍ମୁ ସମ୍ମାନିତ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାରେ ଜନ୍ମିତ ଏବେ ସାରା ବିଶ୍ବରେ ପ୍ରତିଷ୍ଠିତ ବିଶିଷ୍ଟ ବୈଜ୍ଞାନିକ ତଥା କଗ୍ନିଜାଣ୍ଟର ସିଇଓ ରବି କୁମାର ଏସ୍, ଋଷ୍-ୟୁକ୍ରେନ୍ ଯୁଦ୍ଧ ବେଳେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଅପରେସନ ଗଙ୍ଗାରେ ପ୍ରମୁଖ ଭୂମିକା ତୁଲାଇଥିବା ଅଭୟ କୁମାର ଏବଂ ଋଷରେ ଦୀର୍ଘ ବର୍ଷ ଧରି ଶାନ୍ତିର ବାର୍ତ୍ତା ବାଣ୍ଟୁଥିବା ସୁଧାରାଣୀ ଗୁପ୍ତା।
ସମ୍ମେଳନର ଉଦ୍ଯାପନୀ ଦିବସରେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ୍ ଜୟଶଙ୍କର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖ ଯେ ଜନତା ମୈଦାନଠାରେ ତିନି ଦିନ ଧରି ଚାଲିଥିବା ପ୍ରବାସୀ ଭାରତୀୟ ଦିବସ ଅବସରରେ ବିଭିନ୍ନ ରାଷ୍ଟ୍ରରୁ ଆସିଥିବା ପ୍ରବାସୀମାନେ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ଖାଦ୍ୟପେୟ ଓ ଆତିଥ୍ୟରେ ଅଭିଭୂତ ହୋଇଛନ୍ତି। ଏଥିସହ ଓଡ଼ିଶାର ବିଭିନ୍ନ କୋଣଅନୁକୋଣରେ ଥିବା ପର୍ଯ୍ୟଟନ ସ୍ଥଳି ବୁଲି ନିଜ ଖୁସି ବ୍ୟକ୍ତି କରିଛନ୍ତି।