ଭୁବନେଶ୍ୱର: ଗୁରୁବାର ଭୀଷଣ ବାତ୍ୟା ‘ଦାନା’ ଓଡ଼ିଶାର ଧାମରା-ଭିତରକନିକା ଅଂଚଳରେ ତାଣ୍ଡବ ରଚିଥିବା ବେଳେ ଏନେଇ ଶୁକ୍ରବାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ବାତ୍ୟାରେ ଯେଉଁମାନଙ୍କର ଘର ଭାଙ୍ଗିଛି ସେମାନଙ୍କୁ ପକ୍କା ଘର ପ୍ରଦାନ କରାଯିବ ନେଇ ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ତେବେ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବା ପାଇଁ ଶନିବାରଠାରୁ କ୍ଷେତ୍ର ପରିଦର୍ଶନ ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ ।
ବୈଠକ ପରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ‘ଶନିବାରଠାରୁ କ୍ଷେତ୍ର କର୍ମଚାରୀମାନେ କ୍ଷୟକ୍ଷତି ଆକଳନ କରିବେ। ଆସନ୍ତା ୭ ଦିନ ମଧ୍ୟରେ ଫସଲ ଏବଂ ଘର କ୍ଷୟକ୍ଷତି ଆକଳନ ହେବ। ତେବେ ଘର ଭାଙ୍ଗିଯାଇଥିବା ଲୋକ ମାନଙ୍କୁ ପକ୍କା ଘର ଦେବାପାଇଁ ନିଷ୍ପତ୍ତି ନିଆଯାଇଛି। ରବିବାର ଏରିଅଲ ଭାବେ ପ୍ରାଥମିକ ଆକଳନ କରାଯାଇ ଏହି ପ୍ରସଙ୍ଗରେ ଯଥାଶୀଘ୍ର ନିଷ୍ପତ୍ତି ନିଆଯିବ ।’