ମସ୍କୋ: ସୁଧୁରିବ ରୁଷ-ଆମେରିକାର ଦ୍ବିପାକ୍ଷିକ ସମ୍ବନ୍ଧ। କିନ୍ତୁ ଏଥିପାଇଁ ବଳିଷ୍ଠ ଇଚ୍ଛାଶକ୍ତି ଥିବା ଦରକାର। ଦୀର୍ଘ ୩ ବର୍ଷରୁ ଲାଗି ରହିଥିବା ରୁଷ-ୟୁକ୍ରେନ ଯୁଦ୍ଧର ବିଧ୍ବଂସକ ମୋଡ଼ ଭିତରେ ରୁଷ-ଆମେରିକାର ସମ୍ବନ୍ଧକୁ ନେଇ ଏଭଳି ସକରାତ୍ମକ ମନ୍ତବ୍ୟ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍। ସ୍ଥାନୀୟ ଏକ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ରୁଷ-ଆମେରିକା ଦ୍ବିପାକ୍ଷିକ ସମ୍ବନ୍ଧ ସ୍ବାଭାବିକ ହୋଇପାରିବ କି ନାହିଁ ସେ ନେଇ ପୁଟିନଙ୍କୁ ଏକ ପ୍ରଶ୍ନ କରାଯାଇଥିଲା। ଜବାବରେ ପୁଟିନ କହିଛନ୍ତି, ଆମେରିକା ସହିତ ସମ୍ବନ୍ଧ ସୁଧାରିବା ନେଇ ରୁଷ କେବେବି ଅନିଚ୍ଛୁକ ନ ଥିଲା। ଅନ୍ୟ ଦେଶଗୁଡିକ ସହିତ ସମ୍ବନ୍ଧର ପୁନର୍ଗଠନ ଲାଗି ରୁଷ ପ୍ରସ୍ତୁତ। କିନ୍ତୁ ରୁଷର ସ୍ବାର୍ଥ ସହିତ କୌଣସି ପ୍ରକାରର ସାଲିସ୍ କରି ଏହି ପ୍ରକ୍ରିୟାକୁ ଆଗେଇ ନେବା ସମ୍ଭବ ନୁହେଁ ବୋଲି ପୁଟିନ ସ୍ପଷ୍ଟ କରିଛନ୍ତି। ଏ ନେଇ ସେ ୧୯ଶ ଏବଂ ବିଂଶ ଶତାବ୍ଦୀରେ ହୋଇଥିବା ଅନ୍ତର୍ଜାତୀୟ ସମ୍ବନ୍ଧରେ ପରିବର୍ତ୍ତନର ଉଦାହାରଣ ଦେଇଥିଲେ। ୧୮୫୩ରୁ ୧୮୫୬ କ୍ରିମିଆ ଯୁଦ୍ଧ ପରେ ରୁଷକୁ ସବୁ କ୍ଷେତ୍ରରୁ କଟକଣା ଲାଗୁ କରାଯାଇଥିବା ବେଳେ ତତ୍କାଳୀନ ରୁଷ ରାଜା ଆଲେକଜାଣ୍ଡାର ଗୋରଚାକୋଭ କିଭଳି ଧୀରସ୍ଥିର ଭାବେ ତାହାର ଜବାବ ବିଶ୍ବ ସମ୍ମୁଖରେ ରଖିଥିଲେ, ତାହା ପୁଟିନ ଉପସ୍ଥାପନ କରିଥିଲେ। ଉଲ୍ଲେଖ ଯେ ନିକଟରେ ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ୟୁକ୍ରେନ ଯୁଦ୍ଧକୁ ନେଇ ସମ୍ଝୌତା ପାଇଁ ରୁଷ ପ୍ରସ୍ତୁତ ବୋଲି ପୁଟିନ୍ କହିଥିଲେ। ଏ ନେଇ କୌଣସି ପୂର୍ବସର୍ତ୍ତ ନ ରଖିବା ଏବଂ ୟୁକ୍ରେନର ବୈଧ ଅଧିକାରୀମାନଙ୍କୁ ଆଲୋଚନାରେ ସାମିଲ କରିବା ଲାଗି ସେ ପ୍ରସ୍ତାବ ରଖିଥିଲେ। ପୁଟିନଙ୍କ ଏହି ପଦକ୍ଷେପରୁ ପ୍ରତୀତ ହେଉଛି ଯେ ଟ୍ରମ୍ପଙ୍କ ନେତୃତ୍ବରେ ଆମେରିକା ସହିତ ରୁଷର ସମ୍ବନ୍ଧ ଆଗାମୀ ଦିନରେ ସୁଧିରିପାରିବ।