ମୁମ୍ବାଇ: ଭାରତୀୟ ଚଳଚ୍ଚିତ୍ର ଜଗତରେ ଅବିସ୍ମରଣୀୟ ଯୋଗଦାନ ପୂର୍ବକ ଇତିହାସ ସୃଷ୍ଟି କରିଥିବା ବର୍ଷୀୟାନ ଫିଲ୍ମନିର୍ମାତା ଶ୍ୟାମ ବେନେଗଲଙ୍କର ସୋମବାର ପରଲୋକ ଘଟିଛି। ୯୦ ବର୍ଷ ବୟସରେ ମୁମ୍ବାଇଠାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ସମାନ୍ତରାଳ ସିନେମା ପ୍ରସ୍ତୁତିରେ ଧୂରୀଣ ବେନେଗଲଙ୍କ କାର୍ଯ୍ୟ ଉଭୟ ମୁଖ୍ୟସ୍ରୋତ ଏବଂ କଳାତ୍ମକ ଚଳଚ୍ଚିତ୍ର କ୍ଷେତ୍ରରେ ତାଙ୍କୁ ବିପୁଳ ସୁଖ୍ୟାତି ଆଣିଦେଇଥିଲା। ବେନେଗଲଙ୍କ ଚଳଚ୍ଚିତ୍ରରେ ଥିଲା ବାସ୍ତବିକତା, ଗଭୀରତା ଏବଂ କାହାଣୀ ଉପସ୍ଥାପନ କରିବାର ଚମତ୍କାର ଶୈଳୀ। ତାଙ୍କ ପରଲୋକରେ ଭାରତୀୟ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଜୀବନବ୍ୟାପୀ ଚଳଚ୍ଚିତ୍ର ସାଧାନ ପାଇଁ ତାଙ୍କୁ ମିଳିଛି ୧୮ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ୧୯୭୬ରେ ପଦ୍ମଶ୍ରୀ, ୧୯୯୧ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଫିଲ୍ମ ଅଙ୍କୁର, ନିଶାନ୍ତ, ମନ୍ଥନ, ଭୂମିକା, ମାମୋ, ସରଦାରି ବେଗମ ଏବଂ ଜୁବେଦା ପାଇଁ ଭାରତୀୟ ସିନେପ୍ରମୀଙ୍କ ହୃଦୟରେ ଚିର ଅମର ରହିବେ ଶ୍ୟାମ ବେନେଗଲ।