ନୂଆଦିଲ୍ଲୀ: ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ନୂଆ ଅଧ୍ୟକ୍ଷ ନିଯୁକ୍ତ ଭାବେ ନୁଯୁକ୍ତ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କୁ ନିଯୁକ୍ତ କରାଯାଇଛି। କମିଶନ ଅଧ୍ୟକ୍ଷଙ୍କ ନିଯୁକ୍ତି ନିମନ୍ତେ ଗଠିତ ୬ ଜଣିଆ କମିଟି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କ ନାମ ସୁପାରିଶ କରିବା ପରେ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏନଏଚଆରସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।
ପ୍ରକାଶଥାଉ କି, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅରୁଣ କୁମାର ମିଶ୍ରଙ୍କ ଜୁନ୍ ୧ରେ କାର୍ଯ୍ୟକାଳ ଶେଷ ହେବା ପରଠାରୁ ଏନ୍ଏଚ୍ଆରସି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା। ସେଥିପାଇଁ ପରବର୍ତ୍ତୀ ଅଧ୍ୟକ୍ଷ ନିଯୁକ୍ତି ନିମନ୍ତେ ଗତ ୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଦଳର ନେତା ରାହୁଲ ଗାନ୍ଧୀ ଯଥାକ୍ରମେ ରାଜ୍ୟସଭା ଓ ଲୋକସଭାରେ ବିରୋଧୀ ଦଳର ନେତା ଭାବରେ ଯୋଗ ଦେଇଥିଲେ।