ନୂଆଦିଲ୍ଲୀ: ଏଣିକି ପାସ୍ ନ କଲେ ଉପର ଶ୍ରେଣୀକୁ ଯିବେ ନାହିଁ ସରକାରୀ ସ୍କୁଲଗୁଡିକର ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ। ବାର୍ଷିକ ପରୀକ୍ଷାରେ ଅସଫଳ ହେଲେ ଏମାନେ ଏଣିକି ଫେଲ୍ ହେବେ। ଶିକ୍ଷା ନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ସଂସ୍କାର ପୂର୍ବକ କେନ୍ଦ୍ର ସରକାର ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ‘ନୋ-ଡିଟେନସନ ପଲିସି’ ବା ଫେଲ୍ ନ କରାଯିବା ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି। କିନ୍ତୁ ଏଥିରେ ବ୍ୟସ୍ତ ହେବାର କିଛି ନାହିଁ। କାରଣ ସଂଶୋଧିତ ଶିକ୍ଷା ନୀତିରେ ଫେଲ୍ ହୋଇଥିବା ପିଲାମାନଙ୍କୁ ୨ ମାସ ମଧ୍ୟରେ ପୁନଃ ପରୀକ୍ଷା ଦେଇ ଉତ୍ତିର୍ଣ୍ଣ ହେବାର ସୁଯୋଗ ମଧ୍ୟ ପ୍ରଦାନ କରାଯାଇଛି। ଦେଶରେ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ୩ ହଜାରରୁ ଉର୍ଦ୍ଧ୍ବ ବିଦ୍ୟାଳୟ ଯଥା କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ ସୈନିକ ସ୍କୁଲ ପ୍ରଭୃତିରେ ଏହି ନୂତନ ନିୟମ ଲାଗୁ ହେବ। ଶିକ୍ଷା ଅଧିକାରୀ ଆଇନର ୨୦୧୯ ସଂଶୋଧନରେ ପରିବର୍ତ୍ତନ ପୂର୍ବକ ନିଆଯାଇଥିବା ଏହି ନିଷ୍ପତ୍ତି ସମ୍ବନ୍ଧରେ ସରକାରୀ ବିଜ୍ଞପ୍ତି ଜରିଆରେ ଘୋଷଣା କରାଯାଇଛି।
ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଅସଫଳ ପିଲାମାନଙ୍କୁ ୨ ମାସ ମଧ୍ୟରେ ସାନି ପରୀକ୍ଷା ଦେଇ ଉତ୍ତିର୍ଣ୍ଣ ହେବାର ସୁଯୋଗ ପ୍ରଦାନ କରାଯିବ। କିନ୍ତୁ ଯଦି ପୁନଃ ପରୀକ୍ଷାରେ ସେମାନେ ଫେଲ୍ ହୁଅନ୍ତି ତେବେ ସେମାନଙ୍କୁ ସେହି ଶ୍ରେଣୀରେ ପାଠ ପଢିବାକୁ ହେବ। ଏଥିସହ ସ୍କୁଲଗୁଡିକ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲରୁ ବାହାର କରିପାରିବେ ନାହିଁ। ପିଲାମାନଙ୍କ ମଧ୍ୟରେ ଶିକ୍ଷା ଅର୍ଜନ ହାର ବୃଦ୍ଧି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଶିକ୍ଷା ଅଧିକାର ଆଇନରେ ପରିବର୍ତ୍ତନ ଲାଗି ୨୦୧୮ ଜୁଲାଇରେ ଲୋକସଭାରେ ଏକ ବିଲ୍ ପାରିତ ହୋଇଥିଲା। ସ୍କୁଲଗୁଡିକରେ ଫେଲ୍ ବ୍ୟବସ୍ଥା ଉଠାଇବା ଏହି ବିଲ୍ର ଉଦ୍ଦେଶ୍ୟ ଥିଲା। ପରେ ୨୦୧୯ରେ ପିଲାମାନଙ୍କ ନିଃଶୁଳ୍କ ଏବଂ ବାଧ୍ୟତାମୂଳକ ଶିକ୍ଷା (ସଂଶୋଧିତ) ବିଲ୍କୁ ରାଜ୍ୟସଭାରେ ମଞ୍ଜୁରୀ ମିଳିଥିଲା। ଯେଉଁଥିରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଫେଲ ନ କରିବାର ବ୍ୟବସ୍ଥାକୁ ହଟାଇବାର ବ୍ୟବସ୍ଥା ଥିଲା। ବାର୍ଷିକ ପରୀକ୍ଷାରେ ଅସଫଳ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଫେଲ ବ୍ୟବସ୍ଥା ଜାରି ରଖିବା ନ ରଖିବାର ନିଷ୍ପତ୍ତିକୁ ଏହି ବିଲ୍ରେ ରାଜ୍ୟଗୁଡିକ ଉପରେ ଛଡାଯାଇଥିଲା।