ନୂଆଦିଲ୍ଲୀ: ଦେଶବ୍ୟାପୀ ୪୫ଟି ସ୍ଥାନରେ ସୋମବାର ଅନୁଷ୍ଠିତ ରୋଜଗାର ମେଳାରେ ୭୧ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହିତ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ନବନିଯୁକ୍ତ ଯୁବକଯୁବତୀଙ୍କୁ ୭୧ ହଜାରରୁ ଅଧିକ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏଥିସହ ବିଗତ ଦେଢ ବର୍ଷ ଭିତରେ ୧୦ ଲକ୍ଷ ଯୁବକଯୁବତୀଙ୍କୁ ସରକାରୀ ଚାକିରୀରେ ନିଯୁକ୍ତି ଦିଆଯାଇଥିବା ବେଳେ ତାହା ଏକ ରେକର୍ଡ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ନିଯୁକ୍ତି ପାଇଥିବା ଯୁବକଯୁବତୀ ସରକାରୀ ବ୍ୟବସ୍ଥାର ଅଂଶ ପାଲଟିବାକୁ ଯାଉଥିବା ଦର୍ଶାଇ ସେ କହିଛନ୍ତି ଯେ ଏମିତି କୌଣସି ଲକ୍ଷ୍ୟ ନାହିଁ ଯାହାକୁ ବର୍ତ୍ତମାନର ଯୁବପିଢି ହାସଲ କରିପାରିବେ ନାହିଁ। ଆମ ଦେଶର ଯୁବପିଢି ଆତ୍ମବିଶ୍ବାସରେ ପରିପୂର୍ଣ୍ଣ ବୋଲି ଦର୍ଶାଇ ସେ ଆହୁରି କହିଛନ୍ତି ଯେ ସମ୍ପ୍ରତି ଭାରତ ବିଶ୍ବର ତୃତୀୟ ବୃହତ ଷ୍ଟାର୍ଟଅପ୍ ବିଶିଷ୍ଟ ଦେଶ। ସବୁକ୍ଷେତ୍ରରେ ଯୁବପିଢିଙ୍କ ଅଗ୍ରଗତି ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏ ନେଇ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗ୍ରାମୀଣ ଭାରତରେ ରୋଜଗାର ଦେବା ଲାଗି ବ୍ୟାଙ୍କ ସଖୀ ଭଳି ଯୋଜନା କାର୍ଯ୍ୟକାରୀ କରାଯାଇଛି। ଭାରତୀୟ ଯୁବକଯୁକତୀଙ୍କ ସାମର୍ଥ୍ୟ ଏବଂ ପ୍ରତିଭାକୁ ସମ୍ପୂର୍ଣ୍ଣ ଉପଯୋଗ କରିବା ତାଙ୍କ ସରକାରର ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଉଲ୍ଲେଖ ଯେ ୨୦୨୨ ଅକ୍ଟୋବର ୨୨ରେ ରୋଜଗାର ମେଳାର ଶୁଭାରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି ରାଜଗାର ମେଳା ଯୁବବର୍ଗଙ୍କୁ ସଶକ୍ତ କରୁଛି ଏବଂ ସେମାନଙ୍କର ସାମର୍ଥ୍ୟକୁ ଉଜାଗର କରୁଛି। ନୂତନ ଭାରତ ଗଠନ ପାଇଁ ଦେଶ ଦଶନ୍ଧିଦଶନ୍ଧି ଧରି ଆଧୁନିକ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ଅନୁଭବ କରୁଥିଲା। ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଦେଶ ଏବେ ସେହି ଦିଗରେ ଅଗ୍ରଗତି କରୁଛି। ଅଟଳ ଟିଙ୍କରିଂ ଲ୍ୟାବ ଏବଂ ପିଏମ-ଶ୍ରୀ ବିଦ୍ୟାଳୟ ଭଳି ପଦକ୍ଷେପ ମାଧ୍ୟମରେ ଅଭିନବତାକୁ ପ୍ରୋତ୍ସାହିତ କରାଯାଉଛି। ମାତୃଭାଷାରେ ପାଠପଢା ଓ ପରୀକ୍ଷାକୁ ଅନୁମତି ଦେବା ସହ ୧୩ଟି ଭାଷାରେ ନିଯୁକ୍ତି ପରୀକ୍ଷା ଦେଇ ଗ୍ରାମୀଣ ଯୁବକ ଓ ଅବହେଳିତ ସମ୍ପ୍ରଦାୟର ଭାଷା ପ୍ରତିବନ୍ଧକକୁ ସରକାର ଦୂର କରିଥିବା ସେ ଦର୍ଶାଇଛନ୍ତି। ଏଥିସହ ସୀମାବର୍ତ୍ତୀ ଅଞ୍ଚଳର ଯୁବକଙ୍କ ପାଇଁ କୋଟା ବୃଦ୍ଧି ସହ ସ୍ଥାୟୀ ସରକାରୀ ଚାକିରି ଲାଗି ସ୍ବତନ୍ତ୍ର ନିଯୁକ୍ତି ବ୍ୟବସ୍ଥା କରାଯାଇଛି। ୫୦ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ପାଇଁ ନିଯୁକ୍ତି ପତ୍ର ମିଳିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
କେନ୍ଦ୍ର ସରକାରଙ୍କ ନୀତି ଓ ନିଷ୍ପତ୍ତି ଯୋଗୁ ଗ୍ରାମୀଣ ଭାରତରେ ମଧ୍ୟ ରୋଜଗାର ଓ ସ୍ବରୋଜଗାର ନିମନ୍ତେ ନୂତନ ସୁଯୋଗ ସୃଷ୍ଟି ହୋଇଥିବା ବେଳେ କୃଷି କ୍ଷେତ୍ରରେ ବହୁ ସଂଖ୍ୟକ ଯୁବକଯୁବତୀଙ୍କୁ ରୋଜଗାର ମିଳିଛି। ଯୁବପିଢି ନିଜ ପସନ୍ଦର କାମ କରିବାର ସୁଯୋଗ ପାଇଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କେନ୍ଦ୍ର ସରକାର ପ୍ରୟାସ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।