ନୂଆଦିଲ୍ଲୀ: ସଂସଦରେ ଠେଲାପେଲା ଘଟଣାର ୫ ଦିନ ପରେ ବି ସୁସ୍ଥ ହୋଇ ନାହାନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ମୁକାଶ ରାଜପୁତ। ସୋମବାର ସେମାନଙ୍କୁ ରାମମନୋହର ଲୋହିଆ (ଆରଏମଏଲ) ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଥିଲେ ମଧ୍ୟ ପରେ କୈଳାଶ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡିଛି। ସେମାନଙ୍କ ରକ୍ତଚାପ ନିୟନ୍ତ୍ରଣାଧୀନ ହେବା ପରେ ସେମାନଙ୍କୁ ସକାଳେ ଆରଏମଏଲ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଥିଲା। ମାତ୍ର ପରେ ସେମାନେ ଅସୁସ୍ଥ ଅନୁଭବ କରିବାକୁ ସେମାନଙ୍କୁ କୈଳାଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗତ ୧୯ ତାରିଖରେ ଆମ୍ବେଦକର ପ୍ରସଙ୍ଗକୁ ନେଇ ସଂସଦର ମକରଦ୍ବାରଠାରେ ବିଜେପି ଓ ବିପକ୍ଷ ସାଂସଦଙ୍କ ଠେଲାପେଲା ବେଳେ ସାଂସଦ ଷଡଙ୍ଗୀ ଓ ମୁକେଶ ଆହତ ହୋଇଥିଲେ। ଷଡଙ୍ଗୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ୫ଟି ଷ୍ଟିଚ୍ ପକାଯାଇଥିଲା। ଏମିତିକି ତାଙ୍କୁ ଆଇସିୟୁରେ ରଖିବାକୁ ପଡିଥିଲା। ସେପଟେ ମୁକେଶଙ୍କ ଅଣ୍ଟାରେ ଆଘାତ ଲାଗିଥିବାରୁ ତାଙ୍କ ଅଲଟ୍ରାସାଉଣ୍ଡ କରାଇବାକୁ ପଡିଥିଲା। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଧକ୍କା ମାରିବାରୁ ତଳେ ପଡି ସେ ଆହତ ହୋଇଥିବା ଷଡ଼ଙ୍ଗୀ ଅଭିଯୋଗ କରିବା ପରେ ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।