ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ତେଜ୍ ହାଇଛି ଆରୋପ ପ୍ରତ୍ୟାରୋପର ରାଜନୀତି। ବିଭିନ୍ନ ଅଭିଯୋଗ ନେଇ ପରସ୍ପରକୁ ଟାର୍ଗେଟ କରିଛନ୍ତି ବିଜେପି ଓ ଆମ ଆଦମୀ ପାର୍ଟି (ଆପ୍)। ଏହି କ୍ରମରେ ଆପ୍ ବିରୋଧରେ ଏକ ବିସ୍ତୃତ ଆରୋପପତ୍ର ଜାରି କରିଛି ବିଜେପି। ଯେଉଁଥିରେ ଦର୍ଶାଯାଇଛି ଯେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ବ୍ୟାଙ୍କ ହାତେଇବାକୁ ଆମ ଆଦମୀ ପାର୍ଟି ଦିଲ୍ଲୀରେ ମାଗଣା ସେବା ପ୍ରଦାନର ମିଥ୍ୟା ପ୍ରତିଶ୍ରୁତି ଦେଉଛି । ଖଲିସ୍ତାନୀ ଓ ରୋହିଙ୍ଗ୍ୟା ସଂଗଠନ ଗୁଡିକୁ ଦଳ ସମର୍ଥନ କରୁଛି। ଏମିତିକି ଖଲିସ୍ତାନୀ ସଂଗଠନଠାରୁ ୧.୬ ନିୟୁତ ଡଲାର ଅନୁଦାନ ଗ୍ରହଣ କରିଥିବା ବିଜେପି ଅଭିଯୋଗ କରିଛି। ଦିଲ୍ଲୀ ବିଜେପି କାର୍ଯ୍ୟାଳରେ ଗଣମାଧ୍ୟମକୁ ସମ୍ବୋଧିତ କରି ବିଜେପି ଏମପି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଜାରି କରାଯାଇଥିବା ଆରୋପ ପତ୍ରରେ ରହିଛି ଆମ ଆଦମୀ ପାର୍ଟିର ଦୁର୍ନୀତିର କାହାଣୀ। ଦିଲ୍ଲୀରେ ଚିକିତ୍ସା ସେବା, ପାଣି ଓ ବିଦ୍ୟୁତ ଦେୟମୁକ୍ତ କରାଯାଇଥିବା ଆପ୍ ଦାବି କରୁଛି। ମାତ୍ର ଏବେବି ଅନେକ ଦିଲ୍ଲୀବାସୀ ଏ ବାବଦ ଦେୟ ପ୍ରଦାନ କରୁଛନ୍ତି। ଦିଲ୍ଲୀରେ ପାଣିର ମୂଲ୍ୟ ସର୍ବାଧିକ ରହିଥିବା ଅନୁରାଗ ଦର୍ଶାଇଛନ୍ତି। ଦିଲ୍ଲୀକୁ ଦୁର୍ନୀତିମୁକ୍ତ କରାଯାଇଛି ବୋଲି ଆପ୍ କରୁଥିବା ଦାବିକୁ ମିଥ୍ୟା ଦର୍ଶାଇ ଅନୁରାଗ କହିଛନ୍ତି ଦେଶର ସବୁଠୁ ଅଧିକ ଦୁର୍ନୀତିଗ୍ରସ୍ତ ମନ୍ତ୍ରୀ ଅଛନ୍ତି। ଦିଲ୍ଲୀର ୮ ମନ୍ତ୍ରୀ ଏବଂ ୧୫ ବିଧାୟକଙ୍କୁ ଜେଲ୍ ହୋଇଥିଲା। ଏପରିକି ଖଲିସ୍ତାନୀ ଆତଙ୍କୀ ଗୁରପନ୍ତ ସିଂହ ପନ୍ନୁଙ୍କ ନେତୃତ୍ବାଧୀନ ତଥା ନିଷେଧ ଘୋଷିତ ‘ଶିଖ୍ସ ଫର୍ ଜଷ୍ଟିସ’ ଠାରୁ ଆପ୍ ୧.୬ ନିୟୁତ ଡଲାର ଅନୁଦାନ ଗ୍ରହଣ କରିଥିବାର ସାଙ୍ଘାତିକ ଅଭିଯୋଗ ଏହି ଆରୋପ ପତ୍ରରେ ରହିଛି।
ସେପଟେ ବିଜେପି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ କରିପାରୁ ନ ଥିବା ବେଳେ ଦଳର କୌଣସି ଏଜେଣ୍ଡା ନାହିଁ ବୋଲି ଦର୍ଶାଇ ଦଳକୁ ସମାଲୋଚନା କରିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ । ସେ କହିଛନ୍ତି ଦିଲ୍ଲୀ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି ନିକଟରେ କେବଳ ବିଗତ ୫ ବର୍ଷ ଭିତରେ ଜାତୀୟ ସ୍ତରରେ କରାଯାଇଥିବା କାର୍ଯ୍ୟର ଚିଠା ରହିଛି। କିନ୍ତୁ ବିଦ୍ୟୁତ, ଜଳ, ମହିଳାଙ୍କ ଯାତାୟତ, ସଡ଼କ ଏବଂ ଅନେକ କ୍ଷେତ୍ରରେ ଆପ୍ ଦିଲ୍ଲୀରେ ପର୍ଯ୍ୟାପ୍ତ କାମ କରିଥିବା କେଜରିଓ୍ବାଲ ଦାବି କରିଛନ୍ତି। ଉଲ୍ଲେଖ ଯେ ଦିଲ୍ଲୀରେ ୨୦୨୫ ଫେବୃଆରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।