ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଭି. ରାମସୁବ୍ରମଣ୍ୟମଙ୍କୁ ସୋମବାର ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। କମିଶନ ଅଧ୍ୟକ୍ଷ ନିଯୁକ୍ତି ନିମନ୍ତେ ଗଠିତ ୬ ଜଣିଆ କମିଟି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କ ନାମ ସୁପାରିଶ କରିବା ପରେ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏନଏଚଆରସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରୁଣ କୁମାର ମିଶ୍ର ଏନଏଚଆରସି ଅଧ୍ୟକ୍ଷ ଭାବେ ଗତ ଜୁନ୍ ୧ରେ ନିଜର କାର୍ଯ୍ୟକାଳ ପୂରଣ କରିବା ପରେ ଏହି ପଦବୀ ଖାଲି ପଡିଥିଲା। ଏନଏଚଆରସି ସଦସ୍ୟ ବିଜୟା ଭାରତୀ ସାୟାନି ଏହାର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଥିଲେ। ଏହି ପଦବୀ ପାଇଁ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ନାମ ବିଚାରକଚ ନିଆଯାଇଥିବା ଆଲୋଚନା ହେଉଥିଲା। ମାତ୍ର ସୋମବାର ସକାଳେ ଚନ୍ଦ୍ରଚୂଡ ନିଜେ ଏହି ଖବର ମିଥ୍ୟ ବୋଲି ସ୍ପଷ୍ଟ କରିଥିଲେ। ନୂଆ ଏନଏଚଆରସି ଅଧ୍ୟକ୍ଷ ନିଯୁକ୍ତି ପାଇଁ ଗତ ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ଦଳୀୟ ନେତା ରାହୁଲ ଗାନ୍ଧୀଙ୍କ ସହିତ ଲୋକସଭା ଓ ରାଜ୍ୟ ସଭା ନେତା ମଧ୍ୟ ଯୋଗ ଦେଇଥିଲେ।