ନୂଆଦିଲ୍ଲୀ: ଦେଶରେ ବ୍ୟାପୁଥିବା ହ୍ୟୁମାନ ମେଟାନିମୋଭାଇରସ୍ (ଏଚଏମପିଭି) କରୋନା ଭୂତାଣୁ ସାର୍ସ-କୋଭ-୨ ସହିତ ତୁଳନୀୟ ନୁହେଁ, କି ତାହା ଭଳି ଭୟାବହ ନୁହେଁ। ତଥାପି ଏହି ଭୂତାଣୁକୁ ନେଇ ସାବଧାନ ରହିବା ବୁଦ୍ଧିମାନୀ ହେବ। ଭାରତରେ ଏଚଏମପିଭି ଭୂତାଣୁ ସଂକ୍ରମଣ ବଢୁଥିବା ବେଳେ ଏହି ଭୂତାଣର ଭୟାବହତାକୁ ନେଇ ଏଭଳି ମତ ରଖିଛନ୍ତି ଦେଶର ପ୍ରମୁଖ ଭୂତାଣୁବିଜ୍ଞାନୀ ଡକ୍ଟର ସୌମିତ୍ର ଦାସ। ଏଚଏମପିଭି ନୋବେଲ ଭୂତାଣୁ ହୋଇ ନ ଥିବାରୁ ଏହାକୁ ନେଇ ଆତଙ୍କିତ ହେବାର କିଛି ନାହିଁ ବୋଲି ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ମାଇକ୍ରୋବାୟୋଲୋଜି ଏବଂ ସେଲ୍ ବାୟୋଲୋଜି ବିଭାଗର ଅଧ୍ୟକ୍ଷ ତଥା ପ୍ରଫେସର ଶ୍ରୀ ଦାସ ପୁନଃ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ୨୦୦୧ରେ ଜଣେ ନବଜାତ ଶିଶୁ ଶରୀରରେ ଏହି ଭୂତାଣୁ ଠାବ କରାଯିବା ପରେ ଏହା ଉପରେ ନିରନ୍ତର ଦୃଷ୍ଟି ରଖାଯାଇଆସିଛି। ମାତ୍ର ୨୦୨୫ ପୂର୍ବରୁ ଏହି ଭୂତାଣୁ ସଂକ୍ରମଣ ଆଦୌ ଭୟଙ୍କର ରୂପ ନେଇ ନ ଥିଲା। ଏଠାରେ ସ୍ପଷ୍ଟ କରାଯାଇପାରେ ଯେ ଚୀନରେ ଏଚଏମପିଭି ଭୂତାଣୁ ସଂକ୍ରମଣ ସମ୍ପ୍ରତି ଏହାର ଚରମସ୍ଥିତିରେ ରହିଥିବା ବେଳେ ଭାରତ ସମେତ ଅନ୍ୟ କିଛି ଦେଶକୁ ଏହି ସଂକ୍ରମଣ ବ୍ୟାପିଛି। କିନ୍ତୁ ଚୀନ୍ ଭିନ୍ନ ଅନ୍ୟ କୌଣସିଠାରେ ସଂକ୍ରମଣ ଭୟାବହ ରୂପ ନେଇନାହିଁ।
ଏଚଏମପିଭି ବୟସ୍କ ଏବଂ ଶିଶୁଙ୍କଠାରେ ନିମୋନିଆ ଭଳି ଲକ୍ଷଣ ସୃଷ୍ଟି କରୁଛି। ଏଥିସହ ଏନଫ୍ଲୁଏଞ୍ଜା ଭଳି ଅସୁସ୍ଥତା (ଆଇଏଲଆଇ) କିମ୍ବା ସିଭିଅର ଆକ୍ୟୁଟ ରେସ୍ପିରେଟୋରୀ ଇନଫେକ୍ସନ (ସାରି) ଭଳି ସ୍ବାସ୍ଥ୍ୟ ସମସ୍ୟା ଏହି ଭୂତାଣୁ ସଂକ୍ରମଣ ଯୋଗୁ ଦେଖାଦେଇଥାଏ। ତେବେ ପ୍ରାରମ୍ଭିକ ସମୟରେ ଲକ୍ଷଣ ଭିତ୍ତିରେ ଏହାର ଚିକିତ୍ସା କରାଯାଏ। ଏହା ଏକ ଦୁର୍ବଳ ବର୍ଗର ଭୂତାଣୁ ହୋଇଥିଲେ ମଧ୍ୟ ଏହାକୁ ଅଣଦେଖା ନ କରି, ବରଂ ନବଜାତ, ଶିଶୁ, ବୟସ୍କ ଏବଂ ପ୍ରତିରୋଧକ ଶକ୍ତି କମ୍ ଥିବା ଲୋକଙ୍କ ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଦରକାର ବୋଲି ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି।
ଉଲ୍ଲେଖ ଯେ ଶ୍ରୀ ଦାସ ଭାରତୀୟ ସାର୍ସ କୋଭ ୨ ଜିନୋମିକ୍ସ କନସୋର୍ଟିଅମ ବା ଇନସାକୋଭ୍ ପରାମର୍ଶଦାତା ବୋର୍ଡର ସହ ଅଧ୍ୟକ୍ଷ ଅଛନ୍ତି। ୫୦ଟି ପରୀକ୍ଷାଗାରକୁ ନେଇ ଗଠିତ ଇନସାକୋଭ୍ କୋଭିଡ ୧୯ ଭୂତାଣୁ ଭିତରେ ଜିନମ୍ ବିବିଧତା ଉପରେ ଗବେଷଣା କରିଥାଏ। ଜିନୋମ ସିକ୍ବେନ୍ସିଂ ପଦ୍ଧତିରେ ନୂତନର ଭୂତାଣୁର ଷ୍ଟ୍ରେନ ଚିହ୍ନଟ କରାଯାଏ।