କଟକ: ଆସନ୍ତା ନଭେମ୍ବର ୧୩ରୁ ୧୬ତାରିଖ ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି ରଣ୍ଜୀ ଟ୍ରଫି ମ୍ୟାଚ୍। ମହାରାଷ୍ଟ୍ର ବିପକ୍ଷରେ ଖେଳାଯିବାକୁ ଯାଉଥିବା ଏହି ରଣ୍ଜୀ ଟ୍ରଫି ମ୍ୟାଚ୍ ପାଇଁ ଓଡ଼ିଶା ଦଳ ଘୋଷିତ ହୋଇଛି। ଅଲ୍ରାଉଣ୍ଡର ଗୋବିନ୍ଦ ପୋଦାରଙ୍କ ନେତୃତ୍ବରେ ଏହି ଦଳ ମ୍ୟାଚ ଖେଳିବାକୁ ଯାଉଥିବା ବେଳେ ଏଥିରେ ଅଲ୍ରାଉଣ୍ଡର ବିପ୍ଳବ ସାମନ୍ତରାୟ ଓ ଓପନର୍ ଅନୁରାଗ ଷଡ଼ଙ୍ଗୀଙ୍କୁ ସ୍ଥାନ ମିଳି ନଥିବା ଦେଖିବାକୁ ମିଳିଛି। ତେବେ ବିପ୍ଳବଙ୍କୁ ଦଳରେ ସ୍ଥାନ ମିଳିନଥିବା ସମ୍ପର୍କରେ ସୂଚନା ଦେଇ ଓସିଏ ଚୟନ କମିଟି କହିଛି ଯେ, ଆଘାତଜନିତ କାରଣରୁ ବାଦ୍ ଦିଆଯାଇଛି । ତେବେ ଦଳରେ ଡାହାଣହାତୀ ଦ୍ରୁତ ବୋଲର ତାପସ ଦାସଙ୍କୁ ସାମିଲ କରାଯାଇଥିବା ଦେଖିବାକୁ ମିଳିଛି। ଗତ ରଣଜୀ ସିଜିନରେ ତାପସ ଓଡ଼ିଶା ପକ୍ଷରୁ ଦଳରେ ସ୍ଥାନ ପାଇଥିଲେ ସୁଦ୍ଧା ମ୍ୟାଚ୍ ଖେଳିନଥିଲେ। ତେଣୁ ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍ରେ ତାପସଙ୍କ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ତାପସ ଜଣେ ଅଗ୍ରଣୀ ତଥା ପ୍ରଥମଶ୍ରେଣୀର କ୍ରିକେଟର ହୋଇଥିବା ବେଳେ ସୁଯୋଗ ମିଳିଲେ ପଡିଆରେ ପଦାର୍ପଣ କରିବା ନେଇ ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ବିପକ୍ଷ ରଣ୍ଜୀ ଟ୍ରଫି ମ୍ୟାଚ୍ ପୂର୍ବରୁ ଓଡିଶାର ଦୁଇଟି ମ୍ୟାଚ୍ ରେ ପରାଜୟ ଓ ଗୋଟିଏ ଡ୍ର’ ହୋଇଥିବାବେଳେ ମୋଟ ୪ ମ୍ୟାଚ୍ରୁ ମାତ୍ର ୪ ପଏଣ୍ଟ୍ ପାଇ ଏହା ସପ୍ତମ ସ୍ଥାନରେ ରହିଛି।ଓସିଏ ପକ୍ଷରୁ ପ୍ରକାଶ ପାଇଥିବା ତାଲିକାରେ ବିପ୍ଳବ ଓ ଅନୁରାଗ ବାଦ୍ ପଡିଥିବା ବେଳେ ଦଳରେ ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ଶାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ, କାର୍ତ୍ତିକ ବିଶ୍ବାଳ, ସ୍ବସ୍ତିକ ସାମଲ, ରାଜେଶ ଧୂପର (ୱିକେଟ୍କିପର), ଆଶୀର୍ବାଦ ସ୍ବାଇଁ (ୱିକେଟ୍ କିପର), ଅନୀଲ ପରିଡ଼ା, ସୂର୍ଯ୍ୟକାନ୍ତ ପ୍ରଧାନ, ସୁନୀଲ କୁମାର ରାଉଳ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ତରଣୀ ସ’, ହର୍ଷିତ ରାଥୋଡ଼, ସୁମିତ ଶର୍ମା, ତାପସ ଦାସ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ସେହିପରି ମୁଖ୍ୟ ପ୍ରଶିକ୍ଷକ ଭାବେ ସୁରେନ୍ଦ୍ର ଭାବେ, ସହକାରୀ ପ୍ରଶିକ୍ଷକ ଭାବେ ଅବକାଶ ଖଟୁଆ, ପ୍ରବନ୍ଧକ ଭାବେ ସଂଗ୍ରାମ ଗୁମାନସିଂହ ଓ ସୁଶାନ୍ତ ମହାନ୍ତି, ରେନି ଚାଟାର୍ଜୀ (ଫିଜିଓ), ପ୍ରତ୍ୟୁଷ ଅଗ୍ରୱାଲ (ପ୍ରଶିକ୍ଷକ), ସାରଦା ବିଶ୍ବାଳ (ଭିଡିଓ ସମୀକ୍ଷକ)ଙ୍କ ନାମ ତାଲିକାରେ ଦେଖିବାକୁ ମିଳିଛି ।