ଭୁବନେଶ୍ୱର : ଚଳିତ ଜାନୁଆରୀ ୮ ତାରିଖ ସକାଳେ ପ୍ରବାସୀ ଭାରତୀୟ ଦିବସ ପାଇଁ ଉତ୍ସବ ମୁଖର ଥିବା ଭୁବନେଶ୍ୱରରେ ଚଞ୍ଚଲ୍ୟ ସୃଷ୍ଟି କରିଥିଲା ରସୁଲଗଡ଼ ଫ୍ଲାଏ ଓଭର ଉପରେ ଭୁବନେଶ୍ୱର ମହାନଗର ନିଗମର ସଫେଇ କର୍ମଚାରୀଙ୍କ ସୁପରଭାଇଜର ସହଦେବ ନାୟକଙ୍କୁ ନିର୍ମମ ହତ୍ୟା। କଡା ସୁରକ୍ଷା ବଳୟରେ ଥିବାବେଳେ ଭୁବନେଶ୍ୱରରେ ଏପରି ଵିଭତ୍ସ ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ହତ୍ୟାର ଶିକାର ହୋଇଥିବା ବିଏମ୍ସି ସଫେଇ ମଜଦୁର ସଂଘ ସଭାପତି ସହଦେବ ନାୟକଙ୍କ ସ୍ତ୍ରୀ ସୁନୀତା ନାୟକ ଏବଂ ତାଙ୍କ ଦୁଇଝିଅ ଶନିବାର ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଏହି ଅବସରରେ ନବୀନ ସୁନୀତାଙ୍କୁ ୫୦ହଜାର ଟଙ୍କା ଅର୍ଥରାଶି ସହାୟତା ପ୍ରଦାନ କରିଥିଲେ। ଏଥିସହ ତାଙ୍କ ଦୁଇଝିଅଙ୍କ ସମସ୍ତ ଦାୟିତ୍ୱ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ସମସ୍ତ କର୍ପୋରେଟରମାନେ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟରେ ନବୀନ ସହଦେବଙ୍କ ଦୁଇଝିଅଙ୍କ ମୁଣ୍ଡ ଉପରେ ହାତ ବୁଲାଇବା ସହ ତାଙ୍କ ସହିତ ସହଦେବଙ୍କ ପୂର୍ବ ଫଟୋକୁ ଦେଖି କାନ୍ଦି ପକାଇ ଥିଲେ। ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆଯିବା ସହ ମୃତକଙ୍କ ପରିବାରକୁ ସମସ୍ତ ନ୍ୟାୟ ପ୍ରଦାନ କରାଯିବ ବୋଲି ନବୀନ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଦୁଇ ବିଧାୟକ, ପୂର୍ବତନ ମନ୍ତ୍ରୀ ପଣ୍ଡା, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ଏବଂ ସମସ୍ତ କର୍ପୋରେଟର ଉପସ୍ଥିତ ଥିଲେ।