ନୂଆଦିଲ୍ଲୀ: ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ପରାଜୟ ଏବଂ ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି ସିରିଜ ହାରିବା ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ଏହାକୁ ନେଇ ବିସିସିଆଇ ତାଙ୍କୁ ଗୁଡେଇ ତୁଡେଇ ଜେରା କରିଛି । ଏହାକୁ ନେଇ ଅତିଷ୍ଠ ହୋଇଗଲେଣି ରୋହିତ । କିନ୍ତୁ ରୋହିତ ମନୋୟନକାରୀଙ୍କୁ ଜଣାଇ ଦେଇଛନ୍ତି ଯେ, ସେ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ରହିବେ। ଏହାସହିତ ସେ କିଛିମାସ ପାଇଁ ଏକ ଦିବସୀୟ ଦଳର ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଇବେ। ଚାମ୍ପିୟନ୍ସ ଟ୍ରଫି ପରେ ଦିନିକିଆ ଫର୍ମାଟରେ ତାଙ୍କ ପରେ ଦାୟିତ୍ଵ କିଏ ଗ୍ରହଣ କରିବେ ସେ ନେଇ ନିଷ୍ପତ୍ତି ବିସିସିଆଇ ନେବ।
ସୂଚନଯୋଗ୍ୟ ଯେ, ଶନିବାର ବିସିସିଆଇ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ବସିଥିଲା। ଭାରତର କ୍ରମାଗତ ସିରିଜ ପରାଜୟର କାରଣ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା । ଏହାସହିତ ଭାରତୀୟ ଟେଷ୍ଟ ଓ ଦିନିକିଆ କ୍ରିକେଟ ଦଳର ଭବିଷ୍ୟତ ଅଧିନାୟକ ପ୍ରସଙ୍ଗ ମଧ୍ୟ ଉଠିଥିଲା । ଏହି ବୈଠକରେ ମୁଖ୍ୟ ଚୟନକାରୀ ଅଜିତ ଅଗରକର, ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସମେତ ବିସିସିଆଇର ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହି ଆଲୋଚନାରେ ରୋହିତ ଅଧିନାୟକ ଭାବରେ ପରବର୍ତ୍ତୀ ଅଧିନାୟକ ଚୟନ କରିବା ପର୍ଯ୍ୟନ୍ତ ନିଜ ଦାୟିତ୍ୱ ତୁଲାଇବା ପାଇଁ ଚୟନକର୍ତ୍ତାମାନେ ଦେଇଥିବା ପ୍ରସ୍ତାବରେ ରାଜି ହୋଇଛନ୍ତି । ସେ ଆଗାମୀ କିଛିମାସ ପର୍ଯ୍ୟନ୍ତ ଅଧିନାୟକ ରହିବାକୁ ବିସିସିଆଇକୁ ଜଣାଇଛନ୍ତି । ବୋର୍ଡ ପରବର୍ତ୍ତୀ ଅଧିନାୟକ ମନୋନୀତ କରିବା ପରେ ସେ ନିଜ ଦାୟିତ୍ୱ ଛାଡିବେ ବୋଲି କହିଛନ୍ତି । ଚାମ୍ପିୟନ୍ସ ଟ୍ରଫି ପର୍ଯ୍ୟନ୍ତ ରୋହିତ ଶର୍ମା ଏହି ଗୁରୁଦାୟିତ୍ୱ ତୁଲାଇବେ । ତାହା ପରେ ବିସିସିଆଇ ଦିନିକିଆ ଦଳର ନୂତନ ଅଧିନାୟକ ସମ୍ପର୍କରେ ନିଷ୍ପତ୍ତି ନେବ।