ଲସଏଞ୍ଜେଲସ୍: କାଲିଫର୍ଣ୍ଣିଆ ବନାଗ୍ନିରେ ଏଯାବତ ୧୬ଜଣ ଲୋକଙ୍କର ମୃତ୍ୟୁ ଘଟିଲାଣି। ଅଧିକ ବେଗରେ ପବନ ବହୁଥିବା ଯୋଗୁଁ ନିଆଁ ଅଧିକ ଅଞ୍ଚଳକୁ ବ୍ୟାପୁଥିବାବେଳେ ଜଳାଭାବ ନିଆଁକୁ ନିୟନ୍ତ୍ରଣ କରିବାରେ ମୁଖ୍ୟ ସମସ୍ୟା ହୋଇଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ନିଆଁ ବ୍ୟାପୁଥିବା ଅଞ୍ଚଳରୁ ଲକ୍ଷାଧିକ ଲୋକ ପଳାୟନ କରିଥିବାବେଳେ ନିଆଁ କବଳରେ ଆସି ୧୨ହଜାରରୁ ଅଧିକ କୋଠାଘର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି । ଲସ୍ଏଞ୍ଜେଲସ୍ ପ୍ରଶାସନ ଏବଂ ଆମେରିକା ପକ୍ଷରୁ ପଠାଯାଇଥିବା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଯୋଗାଣକାରୀ କର୍ମଚାରୀମାନେ ଦିନ ରାତି ଉଦ୍ୟମ କରୁଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବା ସମ୍ଭବ ହେଉନାହିଁ। ଏହାର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଠାରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ଅପରପକ୍ଷରେ ଆଗାମୀ ସପ୍ତାହରେ ମଧ୍ୟ ପବନର ବେଗ ଆହୁରି ବୃଦ୍ଧି ପାଇବା ନେଇ ପାଣିପାଗ ସୂଚନା ପ୍ରଦାନକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି । ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସରକାରୀ ଓ ସ୍ଥାନୀୟ ଅଧିକାରୀଙ୍କ ସହିତ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହିତ ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।