ନୂଆଦିଲ୍ଲୀ : ଯଥାଶୀଘ୍ର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ ହେବାକୁ ଯାଉଛି। ପୂର୍ବରୁ ସିଇସିଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସବୁଠାରୁ ବରିଷ୍ଠ ନିର୍ବାଚନ କମିସନର ଭାବେ କାର୍ଯ୍ୟରତ ବ୍ୟକ୍ତି ପରବର୍ତ୍ତୀ ସିଇସି ହେବାର ପରମ୍ପରା ରହିଥିଲା। କିନ୍ତୁ ଏହି ପ୍ରକ୍ରିୟାରେ ପରିବର୍ତ୍ତନ ହେବା ପାଇଁ ଯାଉଛି। ବର୍ତ୍ତମାନ ସିଇସି ଭାବେ କାର୍ଯ୍ୟରତ ରାଜୀବ କୁମାରଙ୍କ କାର୍ଯ୍ୟକାଳ ଆସନ୍ତା ଫେବୃଆରୀ ୧୮ରେ ଶେଷ ହେବାକୁ ଥିବା ବେଳେ ନିର୍ବାଚନ ଆୟୋଗରେ ଅନ୍ୟ ଦୁଇ ନିର୍ବାଚନ କମିସନର ଭାବେ ଜ୍ଞାନେନ୍ଦ୍ର କୁମାର ଓ ସୁଖବୀର ସିଂହ ସାନ୍ଧୁ ଅଛନ୍ତି।
ମୁଖ୍ୟ ନିର୍ବାଚନ ଏବଂ ଅନ୍ୟ ନିର୍ବାଚନ କମିଶନର ନିଯୁକ୍ତି ଆଇନ ୨୦୨୩ ଅନୁଯାୟୀ ପରବର୍ତ୍ତୀ ସିଇସିଙ୍କୁ ନିଯୁକ୍ତ କରାଯିବ। ଏହି ଆଇନ ଅନ୍ତର୍ଗତ ଧାରା ୬ ଓ ୭ ଅନୁସାରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ତରଫରୁ ଏକ ୫ ଜଣିଆ ଚୟନ କମିଟି ଗଠନ କରାଯିବ। ଏହି କମିଟିରେ ପ୍ରଧାନମନ୍ତ୍ରୀ, ଜଣେ କ୍ୟାବିନେଟ ମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତାଙ୍କ ବ୍ୟତୀତ ଆଉ ୨ଜଣ ସଦସ୍ୟ ରହିବେ। ଏହି କମିଟି ସିଇସି ଏବଂ ଅନ୍ୟ ନିର୍ବାଚନ କମିସନରଙ୍କୁ ମନୋନୀତ କରିବେ। ବର୍ତ୍ତମାନ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନିର୍ବାହ କରୁଥିବା ଜ୍ଞାନେନ୍ଦ୍ର କୁମାର ସିଇସି ପଦରେ ନିଯୁକ୍ତି ପାଇବାରେ କୌଣସି ବାଧା ନଥିବା ବେଳେ ଚୟନ କମିଟି ଚାହିଁଲେ ଅନ୍ୟ ବ୍ୟକ୍ତିଙ୍କୁ ସିଇସି ଭାବେ ନିଯୁକ୍ତ କରାଯାଇପାରିବ।