ବଙ୍ଗଳାଗୁଡ଼ା: କୋରାପୁଟ-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ନିକଟସ୍ଥ ବଙ୍ଗଳାଗୁଡ଼ା ଗ୍ରାମ ପାଖରେ ଏକ ଅଭାବନୀୟ ଘଟଣା ଘଟିଛି। ବଙ୍ଗଳାଗୁଡ଼ା ଗ୍ରାମ ପାଖରେ ଥିବା ଭଙ୍ଗା ବ୍ରିଜ ପାଇଁ ଜଣେ ବାଇକ ଆରୋହୀଙ୍କ ପ୍ରାଣହାନୀ ଘଟିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ଘର ଜୟପୁର ହୋଇଥିବା ବେଳେ ଘଟଣାଟି ସୋମବାର ରାତି ୧୦ଟା ସମୟରେ ଘଟିଥିଲା। ଜାତୀୟ ରାଜପଥ ବିଭାଗ ପକ୍ଷରୁ ବଙ୍ଗଳାଗୁଡ଼ା ଗ୍ରାମ ପାଖରେ ହୋଇଥିବା ଅସ୍ଥାୟୀ ବ୍ରିଜ ଦେଖି ନପାରି ଭୁଶୁଡ଼ି ପଡ଼ିଥିବା ବ୍ରିଜ ପଟେ ଚାଲି ଯାଇ ବାଇକ୍ ସହ ୩୦ ଫୁଟ ତଳକୁ ଖସି ପଡ଼ିଥିଲେ। ଏହି ଖବର ପାଇ ବଙ୍ଗଳାଗୁଡ଼ା ଗ୍ରାମବାସୀମାନେ ତାଙ୍କୁ ସେଠାରୁ ଉଧାର କରିବା ପରେ କୋରାପୁଟ ସଦର ଥାନାକୁ ଜଣାଇ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଏହି ଜୀବନହାନୀ ପାଇଁ ଦାୟୀ କିଏ? ପ୍ରକାଶଥାଉ କି, ପ୍ରାୟ ଦୁଇବର୍ଷ ପୂର୍ବେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ବଙ୍ଗଳାଗୁଡ଼ା ଗ୍ରାମ ସ୍ଥାନ କଡରେ ଭଙ୍ଗା ପୋଲ ବଦଳରେ ଏକ ଅସ୍ଥାୟୀ ବ୍ରିଜ ନିର୍ମାଣ କରି ଚୁପ୍ ବସି ପଡ଼ିଛି। କିନ୍ତୁ ବ୍ରିଜ ନିର୍ମାଣ କଥା ଆଉ ବିଭାଗର ମନେ ପଡୁନାହିଁ। ଯାହାର ଫଳ ସାଧାରଣ ଜନତାଙ୍କୁ ଭୋଗିବାକୁ ପଡୁଛି। ତେଣୁ ବିଭାଗର ଏପରି ଅବହେଳା ପାଇଁ ଦୃଢ଼ କାର୍ଯ୍ୟନୁଷ୍ଠାନ ସହିତ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ତୁରନ୍ତ ବ୍ରିଜ ନିର୍ମାଣ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି।