ଭୁବନେଶ୍ୱର : ଡିସେମ୍ବର ୨୬ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ରାୟଗଡ଼ାରେ ପ୍ରଧାନମନ୍ତ୍ରୀଙ୍କ ଏକ ଲାଇଭ୍ କାର୍ଯ୍ୟକ୍ରମରେ ମଧ୍ୟ ଯୋଡ଼ି ହେବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ହେବା ପରେ ମାଝୀଙ୍କ ଏହା ପ୍ରଥମ ଗସ୍ତ ହୋଇଥିବାରୁ ଜିଲ୍ଲାକୁ ସଜାଇବାରେ ଲାଗିଛି ପ୍ରଶାସନ । ଯେଉଁସବୁ ରାସ୍ତାରେ ମୁଖ୍ୟମନ୍ତ୍ରୀ ଯିବେ ସେଠାରେ ସରକାରୀ କୋଠାଗୁଡିକ ରଙ୍ଗ ଦିଆଯିବା ସହିତ କାନ୍ଥଗୁଡିକରେ ଜିଲ୍ଲା ପାରମ୍ପରିକ ଓ ସଂସ୍କୃତି ସମ୍ବନ୍ଧିତ ଚିତ୍ର ଅଙ୍କା ଚାଲିଛି। ମୁଖ୍ୟତଃ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସଂସ୍କୃତି ଭବନ, ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ସର୍କିଟ ହାଉସ, ଜିସିଡି ପଡିଆ ଅଞ୍ଚଳର ସମସ୍ତ ସରକାରୀ କାନ୍ଥରେ ଜିଲ୍ଲାର ସଂସ୍କୃତି ସମ୍ବନ୍ଧୀୟ ଚିତ୍ର ସୁନ୍ଦର ଭାବରେ ଚିତ୍ରିତ କରାଯାଉଛି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କିଛି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନର କାର୍ଯ୍ୟକ୍ରମ ମଧ୍ୟ ସ୍ଥିର ହୋଇଛି। ସ୍ବାସ୍ଥ୍ୟ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ସମବାୟ ବିଭାଗର ପ୍ରକଳ୍ପ ଶିଳାନ୍ୟାସ ହେବା ନେଇ ସୂଚନା ରହିଥିଲେ ମଧ୍ୟ ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।