ଲକ୍ଷ୍ମୀପୁର: କୋରାପୁଟ ରାୟଗଡା ୩୨୬ ନମ୍ୱର ଜାତୀୟ ରାଜପଥ ବଙ୍ଗଳାଗୁଡା ନିକଟସ୍ଥ ଭଙ୍ଗା ପୋଲରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହେବା ପରେ ଜାତୀୟ ରାଜପଥ ବିଭାଗ ଜାଗ୍ରତ ହୋଇ ଉଠିଥିବା ଦେଖିବାକୁ ମିଳିଛି। ବୁଧବାର ଜାତୀୟ ରାଜପଥ ବିଭାଗ ତରଫରୁ ଭଙ୍ଗା ପୋଲ ଥିବା ରାସ୍ତାକୁ ସମ୍ପୂର୍ଣ ଭାବେ ସିଲ୍ କରାଯାଇ ସେଠାରେ ସୂଚନା ଫଳକ ଲଗା ଯାଇଛି।
ପ୍ରକାଶ ଥାଉକି, ଗତ ସୋମବାର ଦିନ ଏକ ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇ ଥିଲା। ମୃତକଙ୍କ ଘର ଜୟପୁର ହୋଇଥିବା ବେଳେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ବଙ୍ଗଳାଗୁଡ଼ା ଗ୍ରାମ ପାଖରେ ହୋଇଥିବା ଅସ୍ଥାୟୀ ବ୍ରିଜ ଦେଖି ନପାରି ଭୁଶୁଡ଼ି ପଡ଼ିଥିବା ବ୍ରିଜ ପଟେ ଚାଲି ଯାଇ ବାଇକ୍ ସହ ୩୦ ଫୁଟ ତଳକୁ ଖସି ପଡ଼ିଥିଲେ। ଏହି ଖବର ପାଇ ବଙ୍ଗଳାଗୁଡ଼ା ଗ୍ରାମବାସୀମାନେ ତାଙ୍କୁ ସେଠାରୁ ଉଧାର କରିବା ପରେ କୋରାପୁଟ ସଦର ଥାନାକୁ ଜଣାଇ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହାପରେ ଜାତୀୟ ରାଜପଥ ବିଭାଗ ତରଫରୁ ବୁଧବାର ଅପରାହ୍ନରେ ଉକ୍ତ ପୋଲ ର ଉଭୟ ପାର୍ଶ୍ଵ ରେ ମାଟି ଜମା କରିବା ସହ ସୂଚନା ଫଳକ ଲଗାଇ ଥିବା ଦେଖିବାକୁ ମିଳିଛି। ତେବେ ଜଣଙ୍କର ପ୍ରାଣହାନୀ ହେବାପରେ ଜୟତୀୟ ରାଜପଥ ବିଭାଗ ଚେତିଲା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।