କଟକ: ମଙ୍ଗଳବାର ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍ ଅରୁଣ ଷଡ଼ଙ୍ଗୀ। ୧୯୯୦ ବ୍ୟାଚର ଆଇପିଏସ୍ ଅରୁଣ ଷଡ଼ଙ୍ଗୀ ଡଃ ସରିତା ସୁପକାରଙ୍କଠାରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୩ ଅଗଷ୍ଟ ମାସରେ ଓପିଏସସି ଅଧ୍ୟକ୍ଷ ପଦରୁ ସତ୍ୟଜିତ୍ ମହାନ୍ତି ଅବସର ନେବା ପରଠାରୁ ଓପିଏସସି ସଦସ୍ୟ ଡଃ ସରିତା ସୁପକାର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉ ଥିଲେ।
ତେବେ ଦାୟିତ୍ୱ ଗ୍ରହଣ କରିବା ପରେ ଅରୁଣ ଷଡ଼ଙ୍ଗୀ କହିଛନ୍ତି, “ଗୁରୁ ଦାୟିତ୍ୱ ମିଳିଛି, ସୂଚାରୁ ରୂପେ ତୁଲାଇବି। ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପରୀକ୍ଷାରେ଼ ସ୍ୱଚ୍ଛତା, ସଠିକ ମୂଲ୍ୟାୟନ ଓ ସନ୍ଦେହ ବିହୀନ ପରୀକ୍ଷା ପରିଚାଳନା କରିବା ସବୁଠୁ ବଡ଼ ଦାୟିତ୍ୱ ରହିବ। କେହି ଯେପରି ଓପିଏସସିର ପରୀକ୍ଷାକୁ ନେଇ ପ୍ରଶ୍ନ ଉଠାଇବେନି ସେ ନେଇ ସବୁ ପଦକ୍ଷେପ ନିଆଯିବ। ଯଦି କୌଣସି ଆଶାୟୀ କାହାକୁ ଆପ୍ରୋଚ କରି କିମ୍ବା ପଇସା ଦେଇକି ଚାକିରି କରିବାକୁ ଆଶା ରଖୁଥିବେ, ତାହା ହେଲେ ସେହି ଆଶାୟୀ ଜଣଙ୍କ ଜାଣି ରଖିବା ଦରକାର ସେ ଲୋକଟା ତାଙ୍କୁ ଠକୁଛି। ଆଶାୟୀ ଜଣଙ୍କ ସେଥିରୁ ନିବୃତ୍ତ ରୁହନ୍ତୁ।”
ପ୍ରାୟ ୩୩ ବର୍ଷରୁ ଉର୍ଦ୍ଧ୍ବ ମୁଁ ପୋଲିସ ବିଭାଗରେ ଚାକିରି କରିଥିବା ଅରୁଣ ଷଡ଼ଙ୍ଗୀ ଚାକିରି ଅବଧିର ୧୦ ମାସ ପୂର୍ବରୁ ଅବସର ନେଇଥିଲେ।