ଗୁରୁଗ୍ରାମ: ହରିଆଣାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ରେସଲର ବିନେଶ ଫୋଗତ ବିଜୟୀ ହୋଇଛନ୍ତି । ଏହା ତାଙ୍କର ପ୍ରଥମ ନିର୍ବାଚନ ହୋଇଥିବାବେଳେ ତାଙ୍କୁ ସଫଳତା ମିଳିଛି । ବିନେଶଙ୍କୁ କଂଗ୍ରେସ ଟିକଟ ଦେଇଥିଲା ଏବଂ ଜୁଲାନା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ତାଙ୍କ ଠାରୁ ବିଜେପି ପ୍ରାର୍ଥୀ ଯୋଗେଶ କୁମାର ପ୍ରାୟ ୬୦୧୫ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ (ଆଇଏନଏଲଡି) ପ୍ରାର୍ଥୀ ସୁରେନ୍ଦର ଲାଠର୍ ତୃତୀୟ ସ୍ଥାନରେ ରହିଛନ୍ତି । ମଙ୍ଗଳବାର ଭୋଟ ଗଣତି ଆରମ୍ଭ ହେବା ପରେ ପ୍ରାରମ୍ଭରୁ ବିନେଶ ଅଗ୍ରଣୀ ରହିଥିବାବେଳେ ପରବର୍ତ୍ତୀ ସମୟରେ ପଛେଇ ଯାଇଥିଲେ । ତେବେ ପୁନଃ ଅଗ୍ରଣୀ ରହିବା ସହିତ ବିଜୟୀ ହୋଇଥିଲେ । ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଉକ୍ତ ଆସନରୁ ଜନନାୟକ ଜନତା ପାର୍ଟି (ଜେଜେପି)ର ଅମରଜିତ ଧଣ୍ଡା ବିଜୟୀ ହୋଇଥିଲେ । ଉକ୍ତ ଦଳ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟର ଅଂଶବିଶେଷ । ୨୦୦୯ ଓ ୨୦୧୪ରେ ଉକ୍ତ ଆସନରୁ ଆଇଏନଏଲଡି ପ୍ରାର୍ଥୀ ପରମିନ୍ଦର ସିଂ ଧୂଲ ବିଜୟ ହାସଲ କରିଥିଲେ । ଚଳିତ ଅକ୍ଟୋବର ୫ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହରିଆଣା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ସେଥିରେ ୬୭.୯୦ ପ୍ରତିଶତ ମତଦାନ ହୋଇଥିଲା ।