ନୂଆଦିଲ୍ଲୀ: ହରିୟାଣାରେ ସବୁ ଏକଜିଟ ପୋଲ ଆକଳନକୁ ଭୁଲ ପ୍ରମାଣିତ କରି ବାଜି ପଲଟାଇ ଦେଇଛି ବିଜେପି । ନିର୍ବାଚନ ଫଳାଫଳ ଆସିବା ପରେ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ନେତା କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ଦଳର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ଗୀତାର ଭୂମିରେ ସତ୍ୟ ଓ ବିକାଶର ବିଜୟ ପାଇଥିବା କହିଛନ୍ତି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତା କର୍ମୀଙ୍କୁ ସମ୍ବୋଧନ କରିଥିଲେ। ସେ କହିଥିଲେ ଯେ, ଆଜି ମା’ କାତ୍ୟାୟନୀଙ୍କ ଆରାଧନାର ଦିନ । ମା’ ହାତରେ କମଳ(ପଦ୍ମ) ଫୁଲ ଧାରଣ କରିଥିବା ବେଳେ ଆଜି ଭଳି ଦିନରେ ହରିୟାଣାରେ ପଦ୍ମ ଫୁଟିଛି । ଏଥିପାଇଁ ହରିୟାଣା ଜନତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ବିଜେପି କାର୍ଯ୍ୟକର୍ତ୍ତାଙ୍କ ତପ ଓ ତପସ୍ୟାକୁ ପ୍ରଣାମ ଜଣାଉଛି । ହରିୟାଣାରେ ଜିତାପଟ, କାର୍ଯ୍ୟକର୍ତ୍ତାଙ୍କ ପ୍ରୟାସ ଓ ହରିୟାଣା ବିଜେପି ଟିମ ଓ ବିନମ୍ର ମୁଖ୍ୟମନ୍ତ୍ରୀ ଓ ଜେପି ନଡ୍ଡାଙ୍କ ନେତୃତ୍ବ ଯୋଗୁଁ ମିଳିପାରିଛି ।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘ହରିୟାଣାବାସୀ କମାଲ କରିଦେଲେ । ସବୁ ଜାଗାରେ ପଦ୍ମ ଫୁଟାଇଦେଲେ । ସବୁ ବର୍ଗ ସବୁ ଜାତିର ଲୋକେ ଭୋଟ ଦେଇଛନ୍ତି । ହରିୟାଣାରେ ମିଛ ଉପରେ ବିକାଶ ଭାରି ପଡିଗଲା । ହରିୟାଣାରେ ବର୍ତ୍ତମାନ ସୁଦ୍ଧା ୧୩ଟି ନିର୍ବାଚନ ହୋଇଥିବା ବେଳେ ୧୦ ନିର୍ବାଚନରେ ପ୍ରତି ୫ ବର୍ଷରେ ସରକାର ବଦଳିଛି । ପ୍ରଥମ ଥର ଏପରି ହୋଇଛି କି ଦୁଇ ଥର କ୍ଷମତା ପାଇଥିବା ସରକାରକୁ ପୁଣି ଥରେ ସୁଯୋଗ ଦେଇଛନ୍ତି ଜନତା ।’