ରବିବାର ସମଗ୍ର ପଶ୍ଚିମ-ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ ପାଇଁ ଉତ୍ସବମୁଖର ହୋଇପଡିଥିବା ବେଳେ ଏହି ପର୍ବ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ‘ସିଏମ କିଷାନ ଯୋଜନା’ର ଶୁଭାରମ୍ଭ ହେବ। ରବିବାର ଅପରାହ୍ନରେ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଜନାର ଶୁଭାରମ୍ଭ କରିବେ। ଏହାପରେ ଯୋଗ୍ୟ ହିତାଧିକାରୀ ଚାଷୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟ୍ରାନ୍ସଫର ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଏବଂ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଯୋଗଦେବେ। ଏନେଇ ଶନିବାର ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର କହିଛନ୍ତି,” ଯେଉଁ ଭୂମିହୀନ କୃଷକମାନେ ପିଏମ କିସାନ ଯୋଜନା ଅଧୀନରେ ଆସୁନଥିଲେ, ସେମାନେ ‘ସିଏମ କିସାନ ଯୋଜନା’ର ଲାଭ ପାଇବେ । ଦୁଇଟି ପର୍ଯ୍ୟାୟରେ କୃଷକମାନଙ୍କୁ ୪ ହଜାର ଟଙ୍କା ପ୍ରଦାନ କରାଯିବ। ନୂଆଁଖାଇରେ ପ୍ରଥମ କିସ୍ତିରେ କୃଷକମାନଙ୍କୁ ୨ ହଜାର ଟଙ୍କା ଓ ଅକ୍ଷୟ ତୃତୀୟରେ ଦ୍ବିତୀୟ କିସ୍ତି ପ୍ରଦାନ କରାଯିବ। ”
ପ୍ରକାଶ ଥାଉ କି, ଚାଷୀଙ୍କୁ ଏହି ଆର୍ଥିକ ସହୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୧୯ଶହ ୩୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଖରିଫ ଓ ରବି ଋତୁ ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କୁ ଦୁଇଟି କିସ୍ତିରେ ଏହି ଟଙ୍କା ମିଳିବ। ଏ ନେଇ ରାଜ୍ୟ କୃଷି ବିଭାଗ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି। ଏହି ଯୋଜନାରେ ପ୍ରାୟ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୯ ଲକ୍ଷ ଭୂମିହୀନ ଚାଷୀ ଲାଭବାନ ହେବେ । ଏଥିସହିତ ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ୧୨,୫୦୦ ଟଙ୍କା ମିଳିବା ନେଇ ଘୋଷଣା କରାଯାଇଛି ।