ନୂଆଦିଲ୍ଲୀ: ହରିୟାଣା ନିର୍ବାଚନରେ ହାରିବା ପରେ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଶକ୍ତ ଝଟ୍କା ଲାଗି ଚାଲିଛି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଏକାକୀ ଲଢିବା ନେଇ ଘୋଷଣା କରିଛି। ଅରବିନ୍ଦ କେଜରିୱାଲ ଇଣ୍ଡିଆ ମେଣ୍ଟର ସଦସ୍ୟ ହୋଇଥିଲେ ଏପରି ଘୋଷଣା କରିଛନ୍ତି। ପୂର୍ବରୁ କଂଗ୍ରେସ ସହ ମେଣ୍ଟ କରି ଏଏପି ଦିଲ୍ଲୀରେ ଲୋକ ସଭା ନିର୍ବାଚନ ଲଢିଥିଲା।
ପ୍ରକାଶଥାଉ କି, ହରିୟାଣାରେ ଉଭୟ କଂଗ୍ରେସ ଓ ଏଏପିକୁ ଝଟକା ଲାଗିଥିବା ବେଳେ ଫଳାଫଳ ପରେ ଏଏପି ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି, “ଦିଲ୍ଲୀରେ ଏଏପି କଂଗ୍ରେସ ସହ କୌଣସି ମେଣ୍ଟ କରିବ ନାହିଁ। ହରିୟାଣାରେ ଏଏପି ଓ ସମାଜବାଦୀ ପାର୍ଟିକୁ କଂଗ୍ରେସ ସିଟ ଛାଡି ନଥିଲା। ଲୋକ ସଭାବେଳେ ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ ଦୁଇ ଦଳ କଂଗ୍ରେସକୁ ଅଧିକ ଆସନ ଛାଡିଥିବା ସତ୍ତ୍ୱେ ହରିୟାଣାରେ କଂଗ୍ରେସ ସିଟ ଛାଡିବାକୁ ରାଜି ହୋଇ ନଥିଲା। ଦଳ ବିଜୟ ନେଇ ଅଧିକ ଆତ୍ମବିଶ୍ୱାସ ଦେଖାଇଥିବାରୁ ଏବେ ଦଳକୁ ହାରିବାକୁ ପଡିଲା।”
ଅପରପକ୍ଷରେ ହରିୟାଣା ନିର୍ବାଚନ ଫଳାଫଳ ପରେ ଆମ ଆଦମୀ ପାର୍ଟି ଏଏପି ସୁପ୍ରିମୋ ଅରବିନ୍ଦ କେଜରିୱାଲ ମଧ୍ୟ କଂଗ୍ରେସକୁ ପରୋକ୍ଷରେ କଟାକ୍ଷ କରି କହିଥିଲେ ଯେ, ‘ସବୁଠାରୁ ବଡ ଶିକ୍ଷା ହେଲା ନିର୍ବାଚନରେ ଜଣେ କେବେ ହେଲେ ହିଁ ଅତ୍ୟଧିକ ଆତ୍ମବିଶ୍ୱାସ ଦେଖାଇବା କଥା ନୁହେଁ। କୌଣସି ର୍ନିବାଚନକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ୍ ନୁହେଁ।’