ନୂଆଦିଲ୍ଲୀ: ନିକଟରେ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ଏହି ଚାର୍ଜସିଟରେ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁଯାୟୀ ୯୦ ଦଶକରେ ଅପରାଧ କରି ଦାଉଦ୍ ଇବ୍ରାହିମ୍ ନିଜର ନେଟୱାର୍କ ପ୍ରତିଷ୍ଠା କରିଥିବା ଭଳି ଲରେନ୍ସ ମଧ୍ୟ ନିଜ ନେଟୱାର୍କ ପ୍ରତିଷ୍ଠା କରିଛନ୍ତି। ଲରେନ୍ସ ବିଶ୍ନୋଇ ଏବଂ ତାଙ୍କ ଆତଙ୍କବାଦ ସିଣ୍ଡିକେଟ୍ ଏକ ବହୁ ସ୍ଥାନରେ ରହିଥିବା ଜଣା ପଡିଛି।
୯୦ ଦଶକରେ କୁଖ୍ୟାତ ଦାଉଦ୍ ଇବ୍ରାହିମ୍ ଚୋରା ଡ୍ରଗ୍ସ ଚାଲାଣ, ଟାର୍ଗେଟ୍ ମର୍ଡର, ଚୋରା ଚାଲାଣ ମାଧ୍ୟମରେ ନିଜର ବିଶାଳ ଅପରାଧ ସାମ୍ରାଜ୍ୟ ନିର୍ମାଣ କରିଥିବା ବେଳେ ପରେ ଡି କମ୍ପାନି ଗଠନ କରିଥିଲେ। ଏହାପରେ ସେ ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ଏକ ମେଣ୍ଟ ଗଠନ କରି ନେଟୱାର୍କକୁ ବିସ୍ତାର କରିଥିଲା। ଦାଉଦ୍ ଇବ୍ରାହିମ୍ ଡି କମ୍ପାନି ନିର୍ମାଣ କରିବା ଭଳି ଲରେନ୍ସ ଗ୍ୟାଙ୍ଗ ମଧ୍ୟ ଛୋଟ ଛୋଟ ଅପରାଧରୁ ଆରମ୍ଭ ହୋଇ ପରେ ନିଜର ଏକ ଗ୍ୟାଙ୍ଗ ଗଠନ କରିବା ପରେ ଉତ୍ତର ଭାରତରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲା।
ଏନଆଇଏ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଶ୍ନୋଇ ଗ୍ୟାଙ୍ଗରେ ୭୦୦ରୁ ଅଧିକ ସୁଟର ଥିବା ବେଳେ ସେଥିମଧ୍ୟରୁ ୩୦୦ ଜଣ ପଞ୍ଜାବ ସହିତ ଜଡିତ। ପାକିସ୍ତାନରେ ଅବସ୍ଥିତ ଖାଲିସ୍ତାନୀ ଆତଙ୍କବାଦୀ ହରବିନ୍ଦର ସିଂ ରିନ୍ଦା ବିଶ୍ନୋଇ ଗ୍ୟାଙ୍ଗର ସୁଟର ବ୍ୟବହାର କରି ପଞ୍ଜାବରେ ଟାର୍ଗେଟ ହତ୍ୟା ଏବଂ ଅପରାଧିକ କାର୍ଯ୍ୟକଳାପ କରିଥିଲେ। ବିଶ୍ନୋଇ ଗ୍ୟାଙ୍ଗ ୨୦୨୦-୨୧ ପର୍ଯ୍ୟନ୍ତ ଚୋରାଚାଲାଣରୁ କୋଟି କୋଟି ଟଙ୍କା ରୋଜଗାର କରିଥିଲା ଏବଂ ସେହି ଟଙ୍କା ହାୱାଲା ମାଧ୍ୟମରେ ବିଦେଶକୁ ପଠାଯାଇଥିଲା। ପୂର୍ବରୁ ବିଶ୍ନୋଇ ଗ୍ୟାଙ୍ଗ କେବଳ ପଞ୍ଜାବରେ ସୀମିତ ଥିବା ବେଳେ ତାଙ୍କର ଚତୁର ବୁଦ୍ଧି ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଗୋଲଡି ବ୍ରାରଙ୍କ ସହ ସେ ହରିୟାଣା, ଦିଲ୍ଲୀ ଏବଂ ରାଜସ୍ଥାନର ଗ୍ୟାଙ୍ଗ ସହ ଏକ ମେଣ୍ଟ କରି ଏକ ବଡ଼ ଗ୍ୟାଙ୍ଗ ଗଠନ କରିଥିଲେ। ତେବେ ବିଶ୍ନୋଇ ଗ୍ୟାଙ୍ଗ ବର୍ତ୍ତମାନ ଉତ୍ତର ଭାରତ, ପଞ୍ଜାବ, ଉତ୍ତରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ ଏବଂ ଝାଡଖଣ୍ଡରେ କାର୍ଯ୍ୟ କରୁଛି।
ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ପଦ୍ଧତି ମାଧ୍ୟମରେ ଯୁବବର୍ଗମାନଙ୍କୁ ଗ୍ୟାଙ୍ଗରେ ନିଯୁକ୍ତ କରାଇଥାଏ ଏହି ଗ୍ୟାଙ୍ଗ। ଏହି ଗ୍ୟାଙ୍ଗ ଆମେରିକା, ଆଜେରବାଇଜାନ, ପର୍ତ୍ତୁଗାଲ, ୟୁଏଇ ଏବଂ ରୁଷିଆରେ ମଧ୍ୟ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ କାନାଡା କିମ୍ବା ନିଜ ପସନ୍ଦର ଦେଶକୁ ସ୍ଥାନାନ୍ତର କରିବାର ପ୍ରତିଶ୍ରୁତି ଦେଇ ଯୁବବର୍ଗମାନଙ୍କୁ ଗ୍ୟାଙ୍ଗରେ ନିଯୁକ୍ତ କରାଯାଇଥାଏ। କିଛି ଦିନ ପୂର୍ବରୁ ଲରେନ୍ସ ବିଶ୍ନୋଇ, ଗୋଲ୍ଡି ବ୍ରାରଙ୍କ ସମେତ ମୋଟ ୧୬ ଜଣ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଏନଆଇଏ ୟୁଏବିଏ ଅନ୍ତର୍ଗତ କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଥିଲା।
ପ୍ରକାଶଥାଉ କି, ଗୋଲ୍ଡି ବ୍ରାର କାନାଡା, ପଞ୍ଜାବ ଏବଂ ଦିଲ୍ଲୀରେ ଗ୍ୟାଙ୍ଗ ପରିଚାଳନା କରୁଥିବା ବେଳେ ରୋହିତ ଗୋଦରା ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଆମେରିକାର ଗ୍ୟାଙ୍ଗ ତଦାରଖ କରନ୍ତି। ସେହିପରି ଅନମୋଲ ବିଶ୍ନୋଇ ପର୍ତ୍ତୁଗାଲ, ଆମେରିକା, ଦିଲ୍ଲୀ ଏନସିଆର, ମହାରାଷ୍ଟ୍ର, ବିହାର ଏବଂ ପଶ୍ଚିମବଙ୍ଗର କମାଣ୍ଡରେ ଥିବା ବେଳେ କାଲା ଜାଥେଡି ହରିୟାଣା ଏବଂ ଉତ୍ତରାଖଣ୍ଡରେ ଗ୍ୟାଙ୍ଗ ପରିଚାଳନା କରନ୍ତି। ତେବେ ସମଗ୍ର ଗ୍ୟାଙ୍ଗର ରିପୋର୍ଟ ସାବରମତି ଜେଲ୍ରେ ଥିବା ଲରେନ୍ସ ବିଶ୍ନୋଇଙ୍କୁ ସିଧାସଳଖ ଦିଆଯାଇଥାଏ। ଏହି ଗ୍ୟାଙ୍ଗର ଅସ୍ତ୍ର ମଧ୍ୟପ୍ରଦେଶର ମାଲୱା, ମେରଟ, ମୁଜାଫରନଗର, ୟୁପିରେ ଆଲିଗଡ, ବିହାରର ଖାଗରିଆର ମୁଙ୍ଗର ଏବଂ ପାକିସ୍ତାନ ସୀମାବର୍ତ୍ତୀ ପଞ୍ଜାବ ଜିଲ୍ଲାରୁ ଆସିଥାଏ। ଏହାବ୍ୟତୀତ ଏହି ଗ୍ୟାଙ୍ଗ ପାକିସ୍ତାନ, ଆମେରିକା, ରୁଷିଆ, କାନାଡା ଏବଂ ନେପାଳରୁ ମଧ୍ୟ ଅସ୍ତ୍ର ଯୋଗାଡ଼ କରିଥାଏ।