ନୂଆଦିଲ୍ଲୀ: ନିକଟରେ ହରିୟାଣାରେ ସମସ୍ତ ଏକଜିଟ ପୋଲକୁ ଭୁଲ୍ ପ୍ରମାଣିତ କରି ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ସମୁଦାୟ ୯୦ଟି ଆସନ ମଧ୍ୟରୁ ବିଜେପି ୪୮ଟିରେ ବିଜୟ ଲାଭ କରି ସଂଖ୍ୟାଗରିଷ୍ଠତା ହାସଲ କରିଛି ।ତେବେ ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂହ ଶଇନି ଶପଥ ଗ୍ରହଣ କରିବେ । ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବିଜେପିର ସମସ୍ତ ବଡ ପଦାଧିକାରୀ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି ।
ସୂଚନା ଅନୁସାରେ, ଆସନ୍ତା ଅକ୍ଟୋବର ୧୭ ତାରିଖ ସକାଳ ୧୦ଟାରେ ଶପଥ ଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି । ଏନେଇ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଥିବା ମନୋହରଲାଲ୍ ଖଟ୍ଟର ସେହିଦିନ ପଞ୍ଚକୁଲାରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦକୁ ଶପଥ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି । ହରିୟାଣାରେ ତୃତୀୟଥର ପାଇଁ ବିଜେପି ଶାସନ ଭାର ଗ୍ରହଣ କରିବାକୁ ଯାଉଥିବା ବେଳେ ଗତ ମାର୍ଚ୍ଚ ମାସରେ ନାୟବ ସିଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।